Categories: ଖେଳ

ସାହାଣୀ କପ୍‌ ଫୁଟବଲ: ସୁନ୍ଦରଗଡ଼ ଚାମ୍ପିୟନ

ବରଗଡ଼ ଅଫିସ୍‌,୧୪।୧୨
ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ ଶୁକ୍ରବାର ଆନ୍ତଃ ଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ୨-୦ ଗୋଲରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ ସୁନ୍ଦରଗଡ଼ର ମୁକେଶ ମିଞ୍ଜ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସୁନ୍ଦରଗଡ଼ର ସ୍ବାଧୀନ ଲଢ଼େଇ ଦଳ ପକ୍ଷରୁ ଆଉ ଏକ ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ବାରମ୍ବାର ସୁଯୋଗ ମିଳିବା ସତ୍ତ୍ବେ ମ୍ୟାଚ ଶେଷସୁଦ୍ଧା ରାଉରକେଲା ଖେଳାଳିମାନେ ଗୋଲ ସ୍କୋର କରିପାରି ନ ଥିଲେ। ରେଫେରି ଆଶୀର୍ବାଦ କାନୁନଗୋ, ଦେବାଶିଷ ବାଗ, ରମଣୀ ଝା ପ୍ରମୁଖ ମ୍ୟାଚ ପରିଚାଳନା କରିଥିବାବେଳେ ଦୁର୍ଗାମାଧବ ନାୟକ ମ୍ୟାଚ କମିଶନର ଦାୟିତ୍ୱରେ ରହିଥିଲେ।
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ଉପସଭାପତି ରବି ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଉଦଯାପନୀ ସମାରୋହ ହୋଇଥିଲା। ଏଥିରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ, ରନର୍ସ ଅପ୍‌ ଏବଂ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ର ମହେଶ ପ୍ରଧାନ ମ୍ୟାନ ଅଫ ଦି ଫାଇନାଲ, ମୁକେଶ ମିଞ୍ଜ ଶ୍ରେଷ୍ଠ ଖେଳାଳି, ସ୍ବାଧୀନ ବଢ଼େଇ ଶ୍ରେଷ୍ଠ ସ୍କୋରର ଏବଂ ବରଗଡ଼ର ବିରେନ ମହାକୁର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
ଫାଓର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ପର୍ଯ୍ୟବେକ୍ଷକ ରବୀନ୍ଦ୍ର ମହାପାତ୍ର, ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଝାରି, ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର ମିଶ୍ର, ହରଦୀପ ସିଂ, ଶ୍ୟାମ ସୁନ୍ଦର ଅଦାବର, ଶୁଭ୍ରାଂଶୁ ଶେଖର ମହାପାତ୍ର, ସୁରେଶ ଦାଶ, ଜ୍ଞାନରଞ୍ଜନ ପୂଜାରୀ, ଶେଖ ସବଦର୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ଅତିଥି, ଆୟୋଜକ ଏବଂ କ୍ରୀଡ଼ାବିତ୍‌ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲା କ୍ରୀଡ଼ା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Share