ପାଟଣା,୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ସାହାରପଡ଼ା ବ୍ଲକରେ ପଜିଟିଭ ସଂଖ୍ୟା ୨ରେ ପହଞ୍ଚିଛି।
ତେବେ ନୂଆ ଆକ୍ରାନ୍ତ ଜଣଙ୍କ ଗୁଜୁରାଟ ବରଡ଼ା ଜିଲାରେ ଏକ କ୍ୟାଣ୍ଟିନରେ ରୋଷେୟା ଭାବେ କାମ କରୁଥିଲେ। ମେ’ ୩୦ରେ ସେ ଓଡ଼ିଶା ଆସି ପଞ୍ଚାୟତସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ। ବିଡିଓ ଭାଗିରଥି ମଲ୍ଲିକ, ଡା. ଶ୍ୟାମସୁନ୍ଦର ଟୁଡୁ, ଡା. ସୁମନ ସାନୁଜିତ ଆଚାର୍ଯ୍ୟ, ପାଟଣା ଥାନାଧିକାରୀ ସୋମନାଥ ଜେନା ଓ ବିପିଏମ୍ ବିରେନ କୁମାର ମହାନ୍ତଙ୍କ ଉପସ୍ଥିତିରେ ସୋମବାର ରାତିରେ ତାଙ୍କୁ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।