‘ସାହିତ୍ୟରେ ନାରୀସ୍ବର ଶାଣିତ ରହିଛି’

ବଲାଙ୍ଗୀର ଅଫିସ, ୧୪ା୧
ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ୧୫ତମ ବଲାଙ୍ଗୀର ବହିହାଟର ପଞ୍ଚମ ସନ୍ଧ୍ୟା ସୋମବାର ସାହିତ୍ୟରେ ନାରୀ ସ୍ବର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମୁଖ୍ୟଅତିଥି ଭାବେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ ା କବୟିତ୍ରୀ ମଞ୍ଜୁବାଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥିଭାବେ ଲେଖିକା ସ୍ବପ୍ନା ବେହେରା, ଆଲୋଚିକା ଭାବେ ବରଗଡ ଜିଲା ସୋହେଲାର ଅଧ୍ୟାପିକା ଜୟଶ୍ରୀ ସାହୁ, ବଲାଙ୍ଗୀରର କବୟିିତ୍ରୀ କସ୍ତୁରୀ ରଥ, ବେଲପଡାର ଗାଳ୍ପିକା ଯାଜ୍ଞସେନୀ ହୋତା, ପାଟଣାଗଡର ଉପନ୍ୟାସିକା ସୁରୁଚି ମିଶ୍ର, ବରଗଡର ଗାଳ୍ପିକା ପ୍ରବାସିନୀ ହୋତା, ଡୁଙ୍ଗୁରିପାଲିର ଗାଳ୍ପିକା ହେମାଙ୍ଗିନୀ ଦାଶ ଯୋଗଦାନ କରିଥିଲେ ା ଯୁଗ୍ମ ସମ୍ପାଦକ ଅରବିନ୍ଦ ବାଗ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ କପିଳେଶ୍ୱର ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ା ମୁଖ୍ୟଅତିଥି ବିଧାୟକ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ ବହିହାଟ, ସାମ୍ପ୍ରତିକ ଯୁବକଙ୍କ ଆଦର ଓ ଇ-ଲାଇବ୍ରେରୀ କଥା କହିଥିଲେ ା ଆଲୋଚକାମାନେ ସାହିତ୍ୟରେ ନାରୀସ୍ବର କଥା କହି ନାରୀ ସ୍ବର ଶାଣିତ ରହିଛି ବୋଲି କହିଥିଲେ ା ନାରୀ ଭିତର ଅଭିବ୍ୟକ୍ତି ସାହିତ୍ୟକୁ ସମୃଦ୍ଧ କରିଛି ା ନାରୀର ଦୁଃଖ, କଷଣ, ଯାତନା ସହ ପ୍ରେମ, ଶ୍ରଦ୍ଧା, ମମତା ଓ ଆଦର କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସମାଜକୁ ସଚେତନ କରିଛି ବୋଲି କହିଥିଲେ ା ସଭାରେ ପରିଷଦ ସଭାପତି ମଳୟ ମିଶ୍ର ବକ୍ତବ୍ୟ ରଖିଥିଲେ ା

Share