ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ରେ ଏକତ୍ର ନଜର ଆସିବେ ସଙ୍ଗୀତର ‘ତ୍ରିଦେବ’

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ବିଜେତାଙ୍କ ନାମ ଆସନ୍ତା ରବିବାର ଘୋଷଣା କରାଯିବ। ଏହା ପରେ ଆଉ ଏକ ସଙ୍ଗୀତ ରିଆଲିଟି ଶୋ’ ସା ରେ ଗା ମା ପା ଲିଟିଲ ଚ୍ୟାମ୍ପ୍‌ସ ଆରମ୍ଭ ହେବ। ଏଥର ଶୋ’ରେ ସଙ୍ଗୀତ ଦୁନିଆର ତ୍ରିଦେବ କୁହାଯାଉଥିବା ଲୋକପ୍ରିୟ ଗାୟକ ଉଦିତ ନାରାୟଣ, ଅଲ୍‌କା ୟାଗ୍‌ନିକ ଏବଂ କୁମାର ସାନୁଙ୍କୁ ଏକତ୍ର ଦେଖିବାକୁ ମିଳିବ । ଏହି ତ୍ରିଦେବ ଜଜ୍‌ ସିଟ୍‌ରେ ବସି ଭଲ ଭଲ ପ୍ରତିଭାଙ୍କୁ ଖୋଜି ବାହାର କରିବେ।
ନିକଟରେ ମୁମ୍ବାଇରେ ଲିଟିଲ ଚ୍ୟାମ୍ପସ୍‌ର ଆଗାମୀ ସିଜିନର ଘୋଷଣା ଅବସରରେ ଏକ ସଙ୍ଗୀତ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ଅବସରରେ ଉକ୍ତ ୩ ଜଜ୍‌ ନିଜ ମନପସନ୍ଦ ଗୀତରେ ଲାଇଭ୍‌ ପରଫର୍ମ ଦେଇଥିଲେ। ୧୨ ବର୍ଷ ପରେ ଛୋଟ ପରଦାକୁ ଫେରିଥିବା କୁମାର ସାନୁ ଶୋ’ ବିଷୟରେ କୁହନ୍ତି, ”ଛୋଟ ପରଦାକୁ ଫେରିବା ପାଇଁ ମତେ ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ ପରି ଶୋ’ର ଆବଶ୍ୟକତା ଥିଲା। ଛୋଟ ପିଲାଙ୍କ ମଧ୍ୟରେ ବହୁତ ଭଲ ଦକ୍ଷତା ରହିଥାଏ। ସେମାନଙ୍କଠାରୁ ସଙ୍ଗୀତ ଶୁଣିବା ଏବଂ ସେମାନଙ୍କୁ ପରିପକ୍ୱ କରିବାକୁ ମୋତେ ସୁଯୋଗ ମିଳିଥିବାରୁ ମଁୁ ବହୁତ ଖୁସି।“ ଅଲ୍‌କା ଏବଂ ଉଦିତ୍‌ ଏହି ଶୋ’କୁ ନେଇ ବହୁ ଖୁସି ଥିବା ପ୍ରକାଶ କରିଛନ୍ତି।

Share