ସିଂହଦ୍ୱାର ନିକଟରେ ସାଧୁସନ୍ଥଙ୍କ ଚେତାବନୀ: ଜୀବନ ଦେବୁ ପଛେ ମଠ ଛାଡ଼ିବୁନି

ପୁରୀ ଅଫିସ, ୩ା୯: ଜୀବନ ଦେବୁ ପଛେ, ମଠ ଛାଡ଼ିବୁନି। ମୋଗଲ ଶାସନ ହାଏ ହାଏ…। କଳାପାହାଡ଼ ଶାସନ ଚଳିବ ନାହିଁ, ଯଦି ଚଳିବ ନିଅଁା ଜଳିବ। ମଙ୍ଗଳବାର ଅପରାହ୍ନରେ ଏମିତି କିଛି ପ୍ରଶାସନ ବିରୋଧୀ ନାରା ଶୁଣିବାକୁ ମିଳିଥିଲା ସିଂହଦ୍ୱାର ନିକଟରେ। ନ ଥିଲା କୌଣସି ରାଲି କି ଶୋଭାଯାତ୍ରା। ଆଉ ଏହି ନାରା ସାଧାରଣ ଲୋକେ ଦେଉ ନ ଥିଲେ। ଗେରୁଆ ବସ୍ତ୍ର ପରିଧାନ କରିଥିବା ସାଧୁସନ୍ଥମାନେ ହିଁ ଏହିଭଳି ଢଙ୍ଗରେ ଗର୍ଜନ ଛାଡୁଥିଲେ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଥିବା ମଠ ଉଚ୍ଛେଦକୁ ବିରୋଧ କରି ଏମିତି ପ୍ରତିବାଦ କରିଥିଲେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ। ଶ୍ରୀକ୍ଷେତ୍ର ଆସିଲେ ଯେଉଁ ମଠରେ ସେମାନେ ରହି ଖାଇପିଇ ଫେରୁଥିଲେ ସେହି ମଠ ଭଙ୍ଗାଯିବ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏମାନେ। ତେଣୁ ଏଭଳି ଢଙ୍ଗରେ ପ୍ରଶାସନକୁ ଚେତାଇ ଦେବାକୁ ଚେଷ୍ଟା କରିଥିଲେ ସାଧୁସନ୍ଥ।

ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବାକୁ ପ୍ରଶାସନ ସ୍ଥିର କରିଥିଲା। ଏହାକୁ ବିରୋଧ କରି ସକାଳୁ ମଠରେ ସାଧୁସନ୍ଥମାନେ ମେଳି ହୋଇଥିଲେ। ଅଖିଳ ଭାରତୀୟ ସନ୍ଥ ସମିତି ସଙ୍ଗଠନ ମନ୍ତ୍ରୀ ବ୍ରହ୍ମଚାରୀ ତେଜମୟ ସ୍ବରୂପ କହିଛନ୍ତି, ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ନେଉଛୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମଠ ପରମ୍ପରା ଗଢ଼ିଉଠିଥିଲା। ମଠ ପରମ୍ପରାର ମୁଖ୍ୟ ହେଲେ ଗୁରୁମାନେ। ଆମର ପୂର୍ବ ଗୁରୁମାନେ ଶିଷ୍ୟ ଏବଂ ଭକ୍ତଙ୍କୁ ସାଥୀରେ ନେଇ ଶ୍ରୀମନ୍ଦିରକୁ ଆକ୍ରମଣ ସମୟରେ ସୁରକ୍ଷା ଦେଉଥିଲେ। ଯେତେବେଳେ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା ସେତେବେଳେ ଏ ପ୍ରଶାସନ କିମ୍ବା ସରକାର ନ ଥିଲେ। ସେହିପରି ମଠ, ମନ୍ଦିର ପାଇଁ ଦେବୋତ୍ତର କମିଶନ ରହିଛନ୍ତି। ହେଲେ ଦେବୋତ୍ତର କମିଶନ ମଠକୁ ଅସୁରକ୍ଷିତ ବୋଲି କହିନାହାନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ବିପଦସଙ୍କୁଳ କହି ଭାଙ୍ଗିବା ପାଇଁ ଚାପ ପକାଉଥିବା ତେଜମୟ କହିଛନ୍ତି। ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ପ୍ରଦେଶର ମହାମନ୍ତ୍ରୀ ବ୍ରହ୍ମଚାରୀ ସତ୍ୟାନନ୍ଦ ମଧ୍ୟ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ବହୁସଂଖ୍ୟକ ସାଧୁସନ୍ଥ ଜୀବନ ଦେଇଦେବୁ ପଛେ ମଠ ଭାଙ୍ଗିବାକୁ ଦେବୁ ନାହିଁ ବୋଲି କହିଥିଲେ। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମଠ କୋଠା ଉପରେ ବସି ରହିଥିଲେ। ଦିନତମାମ୍‌ ଏମିତି ପ୍ରଶାସନ ଏବଂ ସାଧୁସନ୍ଥଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

Share