Categories: ଜାତୀୟ

ସିଂହ ଖାଉଛି ଘାସ

ନୂଆଦିଲ୍ଲୀ: ସିଂହ ଘାସ ଖାଇବା କେବେ ଦେଖିଛନ୍ତି କି? ଗୁଜରାଟର ଅମ୍‌ରେଲି ଜିଲାର ଖାମ୍ବା ଜଙ୍ଗଲରେ ଗୋଟିଏ ସିଂହ ଘାସ ଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଏଥିରେ ସିଂହଟି ଘାସକୁ ଚୋବାଇ ଖାଉଥିବାର ଦୃଶ୍ୟ ଦେଖାଯାଉଛି। ସିଂହ ଏକ ମାଂସାଶୀ ପ୍ରାଣୀ ହୋଇଥିଲେ ହେଁ ତୃଣଭୋଜୀ ଭଳି ଘାସ ଖାଇବା ଘଟଣା ନେଇ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି ହୋଇଛି। ଅବଶ୍ୟ ପରେ ଏହି ଘଟଣା ନେଇ ଗୁଜରାଟ ବନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବାରୁ ଏ ସମ୍ପର୍କିତ ସନ୍ଦେହ ଦୂର ହୋଇପାରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସିଂହ ଘାସ ଖାଇବା ଅସାଧାରଣ କଥା ନୁହେଁ। ସିଂହର ପାକସ୍ଥଳୀରେ ବଦହଜମି ବା ଅଜୀର୍ଣ୍ଣ ହେଲେ ସେ ଘାସ ଖାଇଥାଏ। ଏହାଦ୍ୱାରା ଅଜୀର୍ଣ୍ଣ ଖାଦ୍ୟ ବାନ୍ତି କରିବା ପରେ ସିଂହ ସୁସ୍ଥ ହୋଇଥାଏ। ଏପରି କି କୁକୁର ମଧ୍ୟ ଘାସ ଖାଇବା ଦ୍ୱାରା ତାକୁ ବଦହଜମିରୁ ମୁକ୍ତି ମିଳେ। ଏହା ପଶୁମାନଙ୍କର ପେଟ ସଫା ପାଇଁ ଏକ ପ୍ରାକୃତିକ କ୍ରିୟା ବୋଲି ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି। ହଜମକ୍ରିୟା ପାଇଁ ସିଂହ ବେଳେବେଳେ ଘାସ ଖାଆନ୍ତି ବୋଲି ଆଉ ଜଣେ ବ୍ୟବହାରକାରୀ ଉଲ୍ଲେଖ କରିଛନ୍ତି।

Share