Categories: ବାଣିଜ୍ୟ

ସିଆଇଆଇ ବାତ୍ୟା ପରିଚାଳନା କମିଟି ବୈଠକ;ରିଲିଫ୍‌,ପୁନର୍ବାସରେ ସହଯୋଗ ଲାଗି ଶିଳ୍ପ ଜଗତକୁ ଆହ୍ବାନ

ଭୁବନେଶ୍ୱର,୧୨-୫ (ବ୍ୟୁରୋ): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ବାତ୍ୟା ପରିଚାଳନା ଷ୍ଟିଅରିଂ କମିଟି ବୈଠକ ଶନିବାର ଅପରାହ୍ନରେ ସ୍ଥାନୀୟ ନାଲ୍‌କୋ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନାଲ୍‌କୋ ସିଏମ୍‌ଡି ତଥା ଷ୍ଟିଅରିଂ କମିଟି ଅଧ୍ୟକ୍ଷ ତପନ କୁମାର ଚାନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଶିଳ୍ପ କ୍ଷେତ୍ରରୁ ବିଭିନ୍ନ ପ୍ରତିନିଧି ଯୋଗ ଦେଇଥିଲେ। ଫନୀ ପ୍ରଭାବିତଙ୍କୁ ସହଯୋଗ,ରିଲିଫ ଏବଂ ପୁନର୍ବାସ କ୍ଷେତ୍ରରେ ସହାୟତା କରିବାକୁ ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ଚାନ୍ଦ ଶିଳ୍ପ ଜଗତକୁ ନିବେଦନ କରିଛନ୍ତି। ସିଆଇଆଇ ଏବଂ ଜିଲା ପ୍ରଶାସନ ସହାୟତାରେ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା ସେ ଗୁରୁତ୍ୱାରୋପ କରିଛନ୍ତି। ଶିଳ୍ପ ଜଗତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ନେଇ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ପର୍ଯ୍ୟଟନ,ହୋଟେଲ, କୃଷି ସହ ଜଡିତ ଶିଳ୍ପର କ୍ଷତି ଆକଳନ କରାଯିବା ସହ ଏ ନେଇ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରିଲିଫ ଏବଂ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଶିଳ୍ପ ପକ୍ଷରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। କାର୍ଯ୍ୟକ୍ରମରେ ସିଆଇଆଇ ଓଡିଶା ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ୟଙ୍ଗ ଇଣ୍ଡିଆନ ଓଡିଶା ଚାପ୍ଟର ଅଧ୍ୟକ୍ଷ କମଲ ଏସ୍‌.ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।

Share