Categories: ଜାତୀୟ

ସିଆଇଆଇ ସର୍ଭେ: ବିଦେଶ ଯିବାକୁ ଚାହୁଁନାହାନ୍ତି ୭୦ ପ୍ରତିଶତ

ନୂଆଦିଲ୍ଲୀ,୨୫।୫(ପି.ଟି.): ଜୁଲାଇ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ବିମାନ ଚଳାଚଳ କଲେ ମଧ୍ୟ ୭୦ ପ୍ରତିଶତରୁ ଅଧିକ ବିଦେଶ ଯିବାକୁ ଚାହିଁବେ ନାହିଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ୬୩ ପ୍ରତିଶତ ଲକ୍‌ଡାଉନ ଉଠିବା ପରେ ୩ ମାସ ମଧ୍ୟରେ ଦେଶ ଭିତରେ ଭ୍ରମଣ କରିବାକୁ ଚାହିଁବେ। ଅନ୍‌ଲାଇନ ଜରିଆରେ ଉତ୍ତର ଭାରତରେ ଏହି ସର୍ଭେ କରାଯାଇଥିଲା। ଲକ୍‌ଡାଉନ ପରେ ହୋଟେଲଗୁଡ଼ିକର ସ୍ବାସ୍ଥ୍ୟପ୍ରଦ ମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ୬୮ ପ୍ରତିଶତ କହିଛନ୍ତି। ଲକ୍‌ଡାଉନ ଉଠିବାର ମାସକ ମଧ୍ୟରେ ଭ୍ରମଣରେ ଯିବେ ବୋଲି ୩୩ ପ୍ରତିଶତ ଇଚ୍ଛାପ୍ରକାଶ କରିଥିବାବେଳେ ଅନ୍ୟ ୩୦ ପ୍ରତିଶତ ୩ ମାସ ଅପେକ୍ଷା କରିବେ ବୋଲି କହିଛନ୍ତି। ୨୫ ପ୍ରତିଶତ ଉଭୟ ଭାରତ ଭିତରେ ଓ ବିଦେଶ ଭ୍ରମଣ କରିବା ସପକ୍ଷରେ ମତ ଦେଇଛନ୍ତି। ୩୭.୪ ପ୍ରତିଶତ ବ୍ୟବସାୟିକ କାର୍ଯ୍ୟରେ ଗସ୍ତ କରିବାକୁ ଚାହୁଁଥିବାବେଳେ ୩୨ ପ୍ରତିଶତ ପରିବାର ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଭ୍ରମଣରେ ଯିବାକୁ ଚାହାନ୍ତି।

Share