Categories: ଗଞ୍ଜାମ

ସିଆଇଟିୟୁ ନେତୃତ୍ୱରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୯ା୯-ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା କନଷ୍ଟ୍ରକସନ୍‌ ୱାର୍କର୍ସ ୟୁନିୟନ (ଓସିଡବ୍ଲ୍ୟୟୁ) ଗଞ୍ଜାମ ଶାଖା ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ ହୋଇଥିଲା। ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଏବଂ ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକରଣ ଓ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା। ସିଟୁ ନେତା ଯୁଧିଷ୍ଠିର ବେହେରା ନେତୃତ୍ୱ ନେଇଥିଲେ। ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ, ଲକ୍ଷ୍ମଣ ପାଢ଼ୀ, ଶିବ ପ୍ରସାଦ ମହାପାତ୍ର, ପଞ୍ଚାନନ ଜେନା, ବିଦ୍ୟାଧର ଜେନା, ଶଶୀ ରଥ, ହରି ନାହାକ, କୁରେଶୁ ପଣ୍ଡା ଓ ଆଦିକନ୍ଦ ବେହେରା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ଏଥିରେ ସାମିଲ ହୋଇଥିଲେ ।
ଆନ୍ଦୋଳନସ୍ଥଳରେ ଯୁଧିଷ୍ଠିର ଓ ଅନ୍ୟ ନେତାମାନେ କହିଥିଲେ, ହଜାର ହଜାର ନିର୍ମାଣ ଶ୍ରମିକଙ୍କ ନାମ ଠିକଣା ସମୟରେ ପଞ୍ଜୀକରଣ କରାଯାଉ ନ ଥିବାରୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବହୁବାର ଦାବି ସତ୍ତ୍ବେ ଶ୍ରମ ଅଧିକାରୀ ଓ କର୍ମଚାରୀ ସମସ୍ୟାର ସମାଧାନ କରୁନାହାନ୍ତି । ଆସିକା, ଭଞ୍ଜନଗର ସହକାରୀ ଶ୍ରମ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ନ ଥିବାରୁ ସେହି ଅଞ୍ଚଳର ଶ୍ରମିକମାନେ ହିନସ୍ତା ହେଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ପୁଣି ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ଜିଲା ଶ୍ରମ ଅଫିସ ଅଚଳ କରିଦେବାର ନେତାମାନେ ଚେତାବନୀ ଦେଇଛନ୍ତି ।
ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରେ ନିର୍ମାଣ ଶ୍ରମିକମାନେ ଏକାଠି ହୋଇ ସେଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରମ ଅଫିସ ପାଖରେ ପହଞ୍ଚତ୍ଥିଲେ । ବିକ୍ଷୋଭ ପରେ ଦାବି ସମ୍ବଳିତ ସ୍ମାରକପତ୍ର ଶ୍ରମ ଅଧିକାରୀଙ୍କୁ ପ୍ରଦାନ ସହ ନେତାମାନେ ଆଲୋଚନା କରିଥିଲେ। ପଞ୍ଜୀକରଣକୁ ସରଳୀକରଣ ଏବଂ ସହାୟତା ପ୍ରଦାନରେ ଅଧିକ ବିଳମ୍ବ ହେଲେ ପରିସ୍ଥିତି ବିସ୍ଫୋରକ କରାଯିବାର ସତର୍କ କରି ଦିଆଯାଇଥିଲା । ଆନ୍ଦୋଳନରେ ଅନେକ ମହିଳା ଶ୍ରମିକ ସାମିଲ ହୋଇଥିଲେ ।