କଟକ ସଦର, ୧୩ା୫(ଡି.ଏନ୍.ଏ.): କଟକ ସଦର ବ୍ଲକ ସମେତ ପଡୋସୀ ଜଗତ୍ସିଂହପୁର ଜିଲା ଅଧୀନ ରଘୁନାଥପୁର ଓ ବିରିଡି ବ୍ଲକ ଅଞ୍ଚଳର ବିଦ୍ୟୁତ୍ ସେବାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ସିଆରଆରଆଇ-କନ୍ଦରପୁର ୩୩ କେଭି ନୁତନ ଫିଡରର କାମ ୨୦୧୪ରେ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ୮ କିମି ଲମ୍ବ ଫିଡରରେ ତାର ଟଣା ଯାଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ୩ଟି ବ୍ଲକର ବହୁ ସଂଖ୍ୟାରେ ବିଦ୍ୟୁତ୍ ଉପଭୋକ୍ତା ଠିକ୍ ଭାବେ ସେବା ନ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଅଧପାନ୍ତରିଆ କାମ ଯୋଗୁ ବର୍ତ୍ତମାନ ଉକ୍ତ ଅଞ୍ଚଳର ଉପଭୋକ୍ତାମାନେ ପୋପରଡା-ଜଗତ୍ସିଂହପୁର ପୁରୁଣା ୩୩ କେଭି ଫିଡରରୁ ବିଦ୍ୟୁତ୍ ଶକ୍ତି ପାଉଛନ୍ତି। ବଣଜଙ୍ଗଲ, ନଦୀ, ଜନବସତି ଦେଇ ଆସିଥିବା ଏହି ପୁରୁଣା ଫିଡରର ମରାମତି କାମ ଠିକ୍ ଭାବେ କରିବା ସମ୍ଭବ ହୋଇପାରୁନାହିଁ। ସେଥିପାଇଁ ସାମାନ୍ୟ ବର୍ଷା, ପବନ ହେଲେ ବିଦ୍ୟୁତ୍ ସରବରାହ ବ୍ୟାଘାତ ଯୋଗୁ ବିସ୍ତିର୍ଣ୍ଣ ଅଞ୍ଚଳର ଲୋକମାନେ ବହୁ ସମୟ ଧରି ଅନ୍ଧାରରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ନୂଆ ଫିଡର କାମ ଦାଦାବଟି ଆଦାୟକୁ ନେଇ ଆଗେଇ ପାରୁନାହିଁ ବୋଲି ସେସୁର ଜଣେ ବରିଷ୍ଠ ଯନ୍ତ୍ରୀ ନିଜର ପରିଚୟ ଗୋପନ ରଖି କହିଛନ୍ତି। ବାତ୍ୟାରେ ପୁରୁଣା ଫିଡର ମରାମତି କାମ ସହଜ ହୋଇପାରୁ ନ ଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା କନ୍ଦରପୁର ଷ୍ଟ୍ରକଚରରେ କରେଣ୍ଟ ପହଞ୍ଚିପାରିନାହିଁ। ନୁତନ ଫିଡର କାମ ପାଇଁ ସେସୁର ଆନ୍ତରିକତା ନାହିଁ ବୋଲି ରଘୁନାଥପୁର ଅଞ୍ଚଳର ଉପଭୋକ୍ତା ବିନୋଦ ବିହାରୀ ମହାପାତ୍ର କହିଛନ୍ତି। ଦୁଇଟି ଜିଲାର ସ୍ବାର୍ଥ ଏହି ନୁତନ ଫିଡରରେ ରହିଥିବାବେଳେ କାମ କରିବା ପାଇଁ ଯନ୍ତ୍ରୀ, ପୋଲିସ ପ୍ରଶାସନ ଓ ରାଜନେତାମାନଙ୍କର ଆନ୍ତରିକତା ନାହିଁ ବୋଲି ସୋମପୁର ଅଞ୍ଚଳର ସାମାଜିକ କର୍ମୀ କାର୍ତ୍ତିକ ପୁହାଣ କହିଛନ୍ତି। ନୁଆ ଲାଇନ୍ଟି ଗତିରାଉତପାଟଣା, ବିରିବାଟୀ, ଦେଓପୁର, ନାହାଭଙ୍ଗା, ଫକୀରପଡା ଦେଇ କନ୍ଦରପୁର ଷ୍ଟ୍ରକଚରକୁ ଆସିବ। କାର୍ଯ୍ୟରେ ବିଳମ୍ବ ସମ୍ପର୍କରେ ସେସୁ କଟକ ଡିଭିଜନ ନଂ.୨ ପରିଚାଳକ ସତ୍ୟବ୍ରତ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ନୁଆ ଫିଡର କାମ ସରିଥିଲେ ୧ ଦିନରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ଏହି ଅଞ୍ଚଳରେ କରାଯାଇପାରିଥାନ୍ତା।