ସିଆରଜେଡ଼ ଜନଅଭିଯୋଗ ଶୁଣାଣି: ଆସିଲେନି ବିଭାଗୀୟ ଅଧିକାରୀ, ତହସିଲଦାର ହଟହଟା

ବାଲିଆପାଳ,୧୩।୧(ସ୍ବ.ପ୍ର.)-ସାମୁଦ୍ରିକ ତଟବର୍ତ୍ତୀ ପରିଚାଳନା ଜୋନ (ସିଆରଜେଡ୍‌)ର ପ୍ରସ୍ତାବିତ ନକ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଲୋକଙ୍କଠାରୁ ଅଭିଯୋଗ ଶୁଣିବା ପାଇଁ ବାଲିଆପାଳ ତହସିଲଦାର ସୋମବାର ତାରିଖ ଧାର୍ଯ୍ୟ କରିବା ସହିତ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଶିବିରକୁ ବିଭିନ୍ନ ବିଭାଗର ଅଧିକାରୀମାନେ ନ ଆସିବାରୁ ବାଲିଆପାଳ ତହସିଲଦାର ସମ୍ମିତା ମୁର୍ମୁଙ୍କୁ ସାଧାରଣରେ ହଟହଟା ହେବାକୁ ପଡ଼ିଛି। ଅପରପକ୍ଷରେ ସିଆରଜେଡ଼ ପରିଚାଳନା ଏବଂ ନକ୍ସା ପ୍ରସ୍ତୁତକୁ ବିରୋଧ କରି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
କେନ୍ଦ୍ରର ସିଆରଜେଡ଼ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡ଼ିଶା ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ଲାନ ମ୍ୟାପ ପ୍ରସ୍ତୁତ କରାଯାଇଛି। ଜିଲାସ୍ତରରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ତହସିଲସ୍ତରରେ ସମ୍ମୁଖ କୂଳବର୍ତ୍ତୀ ଚଉମୁଖ, ଡଗରା, ବେତଗଡ଼ିଆ, ଅଳାଡ଼ିହା, ନୂଆଗାଁ ଜମ୍ଭୀରାଇ ପଞ୍ଚାୟତବାସୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କର ମତାମତ ନେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାଲିଆପାଳ ତହସିଲଦାର ଜାନୁୟାରୀ ୧୩ ତାରିଖକୁ ଦିନଧାର୍ଯ୍ୟ କରିବା ସହିତ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ଜନସାଧାରଣଙ୍କୁ ନୋଟିସ ଦେଇଥିଲେ। ଏହି ଜନଶୁଣାଣି ଶିବିରରେ ବାଲିଆପାଳ ବିଡ଼ିଓ, ବନଖଣ୍ଡ ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ ଏବଂ ଜିଲା ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ରହି ଜନସାଧରଣଙ୍କ ମତାମତ ଗ୍ରହଣ କରିବାର ଥିଲା। ସୋମବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ୨ ହଜାରରୁ ଅଧିକ ଲୋକ ତହସିଲ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ନ ଥିଲା। ଅପରପକ୍ଷରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାର ସମ୍ମିତା ମୁର୍ମୁ ଜନସାଧରଣଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପରେ ଭିଟାମାଟି ସୁରକ୍ଷା କମିଟିର ଉପଦେଷ୍ଟା ଅରୁଣ ଜେନାଙ୍କ ନେତୃତ୍ୱରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଏକ ଶୋଭାଯାତ୍ରାରେ ଆସି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଜିର ଜନଶୁଣାକୁ ବାତିଲ କରିବାକୁ ଦାବି କରି ଦାବିପତ୍ର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ବାଲିଆପାଳର ଭାରପ୍ରାପ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଆଜିର ଘଟଣା ଏବଂ ଅନୁପସ୍ଥିତ ଥିବା ଅଧିକାରୀଙ୍କ ସମ୍ପର୍କରେ ଜିଲା କାର୍ଯ୍ୟାଳୟକୁ ଜଣାଇବେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ପ୍ରକାଶ କରିଛନ୍ତି।