Categories: ଜାତୀୟ

ସିଏଏକୁ ନେଇ ବିକ୍ଷୋଭକାରୀଙ୍କ ଉନ୍ମତ୍ତକାଣ୍ଡ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀର ମୌଜପୁର ଓ ଜାଫରାବାଦ ଅଞ୍ଚଳରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଦୁଇ ଗୋଷ୍ଠୀ ପରଷ୍ପର ମଧ୍ୟରେ ପଥରମାଡ଼ କରିବା ସହ କେତେକ ଗାଡିରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ଏଥିସହ ପ୍ରଦର୍ଶନକାରୀମାନେ ପେଟ୍ରୋଲ ପମ୍ପ ଉପରକୁ ମଧ୍ୟ ଆକ୍ରମଣ କରି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏଥିରେ ଜଣେ ଆହତ ହୋଇଥିବା ହେଡ୍‌ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ପୋଲିସକର୍ମୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିସହ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅପରପକ୍ଷେ ମୌଜପୁର ରାସ୍ତାରେ ଜଣେ ବିକ୍ଷୋଭକାରୀ ଯୁବକ ପୋଲିସ ସମ୍ମୁଖରେ ୮ରାଉଣ୍ଡ ଗୁଳିଚାଳନା କରିଥିଲେ। ସେହି ସମୟରେ ଉକ୍ତ ଯୁବକଙ୍କୁ ପୋଲିସ ଅଟକାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଅଟକାଇ ପାରି ନ ଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସହରରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି।

Share