ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର କରାଯାଇଛି। ଏହି ବିରୋଧ ପ୍ରଦର୍ଶନୀରେ ଏନ୍ସିପି ନେତା ଶରଦ ପାଓ୍ବାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା, ବଞ୍ଚିତ ବହୁଜନ ଅଘାଡିର ପ୍ରକାଶ ଆମ୍ବେଦକର ଓ ଅନ୍ୟ ନେତାମାନେ ଯୋଗ ଦେଇଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ଯଶଓ୍ବନ୍ତ ସିହ୍ନା କହିଛନ୍ତି, ଆମେ ପୁଣିଥିରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାକୁ ଦେବୁନାହିଁ। ସିଏଏ ଓ ଏନ୍ଆର୍ସିକୁ ନେଇ କରାଯାଇଥିବା ଏହି ବିରୋଧ ପ୍ରଦର୍ଶନ ମୁମ୍ବାଇର ଗେଟଓ୍ବେ ଅଫ୍ ଇଣ୍ଡିଆରୁ ଆରମ୍ଭ କରାଯାଇଛି। ଏହା ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବାର ଯୋଜନା ଥିବା ବେଳେ ଏହା ୨୧ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ଜାନୁୟାରୀ ୩୦ରେ ଦିଲ୍ଲୀର ରାଜଘାଟରେ ଶେଷ ହେବ ବୋଲି ସୂଚନା ମିଳିଛି।