Categories: ଜାତୀୟ

ସିଏଏକୁ ସମର୍ଥନ କରିପାରେ ଶିବସେନା: ‘ସାମନା’ ଦେଲା ସଙ୍କେତ

ମୁମ୍ବାଇ,୨୫।୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଥିବା ବିବାଦ ସମସ୍ତଙ୍କୁ ଜଣା। କାହିଁକିନା ଭାଜପା ସହ ମତଭେଦ ହେବାରୁ ଶେଷରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ହେଲେ ବଡ଼ ବଡ଼ ଘଟଣାରେ କେଉଁଠି ନା କେଉଁଠି ଶିବସେନା ପରୋକ୍ଷରେ ଭାଜପାକୁ ସମର୍ଥନ କରୁଥିବା ଦେଖାଯାଇଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହେଉ ଅବା ବୀର ସାଭରକରଙ୍କ ମାମଲା ହେଉ ଶିବସେନା ଭାଜପାକୁ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ ସିଏଏକୁ ସମର୍ଥନ ଜଣାଇବାର ଇଙ୍ଗିତ କରିଛି ଶିବାସେନା। ସେ ତା’ର ମୁଖପତ୍ର ସମାନାର ସମ୍ପାଦକୀୟରେ ଲେଖିଛି, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅବୈଧ ମୁସଲମାନଙ୍କୁ ଦେଶରୁ ତଡିଦେବା ଦରକାର। ଏଥିରୁ ସ୍ପଷ୍ଟ ହେଉଛି କି ଶିବସେନା ପରୋକ୍ଷରେ ହେଉ ପଛେ ଭାଜପାକୁ ଏକ ପ୍ରକାର ସମର୍ଥନ କରୁଛି। କେବଳ ଭାଜପା ନୁହେଁ ସିଏଏକୁ ମଧ୍ୟ ସମର୍ଥନ କରୁଛି। ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେବା ପରେ ମଧ୍ୟ ସାମନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ୍‌ ପ୍ରଶଂସା କରାଯାଇଥିବା ଦେଖାଯାଇଥିଲା।

Share