Categories: ବାଣିଜ୍ୟ

ସିଏଏର ବିରୋଧ ଯୋଗୁ ରେଳପଥର ୮୪ କୋଟି କ୍ଷତି

ନୂଆଦିଲ୍ଲୀ,୧୨-୧: ପଶ୍ଚିମବଙ୍ଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆର୍‌ସିର ବିରୋଧ ଯୋଗୁ ରେଳପଥ ୮୪ କୋଟି ଟଙ୍କାର କ୍ଷତି ସହିଛି। ୧୩ ଡିସେମ୍ବରରୁ ୧୫ ଡିସେମ୍ବର ମଧ୍ୟରେ ଏହି କ୍ଷତି ହୋଇଥିବା ରେଳପଥ ପକ୍ଷରୁ କୁହାଯାଇଛି। ଏଥି ସଂକ୍ରାନ୍ତ ଏକ ରିପୋର୍ଟ ରେଳପଥ କଲିକତା ହାଇକୋର୍ଟରେ ଦାଖଲ କରିଛି। ସିଆଲଦା ଡିଜିଜନରେ କେବଳ ୪୬ କୋଟି ଟଙ୍କା କ୍ଷତି ହୋଇଥିବା ଏକ ସତ୍ୟପାଠରେ କୁହାଯାଇଛି। ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଟିବିଏନ ରାଧାକୃଷ୍ଣନ ଏବଂ ଜଷ୍ଟିସ ଏନ୍‌.ବାନାର୍ଜୀଙ୍କ ଖଣ୍ଡପୀଠ କରୁଛନ୍ତି। ସେହିଭଳି ମାଲଦା ଡିଜିଜନରେ ୨୪.୫ କୋଟି ଏବଂ ହାଓଡା ଡିଭିଜନରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ହୋଇଥିବା କୁହାଯାଇଛି। ସେହିଭଳି ଦକ୍ଷିଣପୂର୍ବ ରେଲଓ୍ବେର ୧୨.୫ କୋଟି କ୍ଷତି ମଧ୍ୟ ଏଥିରେ ସାମିଲ ହୋଇଛି। ମାମଲାର ଆଗାମୀ ଶୁଣାଣି ମାସେ ପରେ ହେବ।

Share