Categories: ଜାତୀୟ

ସିଏଏର ବୈଧତା ପରଖିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୧୨,(ପି.ଟି./ଆଇଏଏନ୍‌ଏସ୍‌): ଦେଶବ୍ୟାପୀ ହିଂସାମତ୍କ ବିକ୍ଷୋଭର କାରଣ ପାଲଟିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ ଏହି ନବପ୍ରଣୀତ ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ଲାଗି ଅଦାଲତ ରାଜି ହେବା ସହ ଏହାକୁ ନେଇ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ସିଏଏକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୨ରେ କରାଯିବ ବୋଲି ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।
ନୂଆ ନାଗରିକତ୍ୱ ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣମୁସ୍‌ଲିମ ଶରଣାର୍ଥୀମାନେ ଏଠାକାର ନାଗରିକତ୍ୱ ପାଇବେ। ପାଲର୍ର୍ାମେଣ୍ଟରେ ଏ ସମ୍ପର୍କିତ ବିଲ୍‌ ପାସ୍‌ ହେବା ପରେ ଡିସେମ୍ବର ୧୨ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଛି। ଏହି ବିବାଦୀୟ ଆଇନ ବିରୋଧରେ ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ୍‌ ଲିଗ୍‌ ଏବଂ କଂଗ୍ରେସ ନେତା ଜୟରାମ ରମେଶଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ଆବେଦନକାରୀଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର ହୋଇଛି। ସିଜେଆଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ବି.ଆର. ଗଭାଲି ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ସେଗୁଡ଼ିକର ଶୁଣାଣି କରି ସିଏଏ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନାକରିଦେଇଛନ୍ତି। ସଂଶୋଧିତ ଆଇନ ସମ୍ପର୍କରେ ଲୋକେ ଅବଗତ ନ ଥିବାରୁ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ନାଗରିକମାନଙ୍କୁ ସଚେତନ କରିବା ପାଇଁ ଶ୍ରାବ୍ୟ-ଦୃଶ୍ୟ (ଅଡିଓ-ଭିଜୁଆଲ) ମାଧ୍ୟମରେ ଆଇନ ସମ୍ପର୍କରେ ବିବରଣୀ ପ୍ରକାଶ କରିବାକୁ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଅନୁରୋଧ କରିଥିଲେ। ତେବେ ଆମେ ଏ ସମ୍ପର୍କରେ ପ୍ରକାଶ କରିବା ପାଇଁ ଖୁସି ବୋଲି ବେଣୁଗୋପାଳ ଅଦାଲତଙ୍କୁ କହିଥିଲେ। ଶୁଣାଣି ବେଳେ ଜଣେ ଆବେଦନକାରୀଙ୍କ ଓକିଲ ରାଜୀବ ଧଓ୍ବନ କହିଥିଲେ, ଏହି ଆଇନର ନିୟମଗୁଡ଼ିକ ପ୍ରସ୍ତୁତ କରାଯାଇନାହିଁ। ତେଣୁ ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଉ। ଆଟର୍ନି ଜେନେରାଲ ବେଣୁଗୋପାଳ ଏହାକୁ ବିରୋଧ କରି କହିଥିଲେ, କୌଣସି ଆଇନକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲେ ତା’ ଉପରେ ସ୍ଥଗିତାଦେଶ ଜାରି କରାଯାଇ ପାରିବ ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ୪ ଥର ରାୟ ଦେଇସାରିଛନ୍ତି। ଏହାକୁ ନେଇ ଖଣ୍ଡପୀଠ କହିଥିଲେ ସିଏଏ ଉପରେ ଆମେ ସ୍ଥଗିତାଦେଶ ଜାରି କରିବାକୁ ଯାଉନାହୁଁ। ଜାନୁୟାରୀ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Share