ସିଏଏ ଏକ ଐତିହାସିକ ପଦକ୍ଷେପ, କଂଗ୍ରେସ ଲୋକମାନଙ୍କ ମଧ୍ୟରେ ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଗତ ଶୀତ ଅଧିବେଶନରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୧୯୪୭ରେ ଦେଶ ବିଭାଜନ ହେବା ପରେ ପାକିସ୍ତାନରୁ ଭାରତକୁ ଆସିଥିବା ଅନେକ ଶରଣାର୍ଥୀ ଦୁର୍ବିସହ ଜୀବନ ବିତାଉଥିଲେ। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଅନୁଯାୟୀ ବର୍ତ୍ତମାନ ମୋଦି ସରକାର ନର୍କ ଜୀବନ ବିତାଉଥିବା ସେମାନଙ୍କୁ ଉଦ୍ଧାର କରିବାକୁ ଯାଉଛନ୍ତି। ମୁଖ୍ୟତଃ ତିନୋଟି ଦେଶ ବାଲାଂଦେଶ, ପାକିସ୍ତାନ, ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ନାଗରିକଙ୍କୁ ଦେଶରେ ନାଗରିକତା ଦେବାର ସାହସିକତା ମୋଦି ଦେଖାଇଛନ୍ତି। ହେଲେ କଂଗ୍ରେସ ଏହାକୁ ନେଇ ଅସହିଷ୍ଣୁ ହୋଇପଡ଼ିଛି। ଲୋକମାନଙ୍କ ମଧ୍ୟରେ ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଭାଜପା ଏହାକୁ କଠୋର ଶବ୍ଦରେ ନିନ୍ଦା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ

ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ପ୍ରଜାତନ୍ତ୍ରରେ ବାକ୍‌ ବିତର୍କର ସ୍ଥାନ ରହିଛି। ହେଲେ ହିଂସାର ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବାରେ କିଛି ଅସୁବିଧା ନାହିଁ। ହେଲେ ହିଂସା ସୃଷ୍ଟି କରା ନ ଯାଉ। ଏହାକୁ ନେଇ ଭାଜପା ପକ୍ଷରୁ ଏକ କର୍ମଶାଳାର ଆୟୋଜନ ହୋଇଛି। ଜାନୁଆରୀ ମାସ ବ୍ୟାପୀ ଓଡ଼ିଶାର ୧ କୋଟି ଲୋକ ଏବଂ ଭାଜପାର ୩ କୋଟି ପରିବାର ନିକଟକୁ ଦଳୀୟ କର୍ମକର୍ତ୍ତା ଯିବେ। ପ୍ରତି ପଞ୍ଚାୟତ ତଥା ଓ୍ବାର୍ଡରେ କାର୍ଯ୍ୟକ୍ରମ କରାଯିବ। ଜିଲାସ୍ତରରେ ବୁଦ୍ଧିଜୀବୀ ସମ୍ମିଳନୀ ଓ ଶୋଭାଯାତ୍ରା ସହ ରାଜ୍ୟର ପ୍ରମୁଖ ସ୍ଥାନରେ ଜନସଭା କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share