ଜୟପୁର, ୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଏନ୍ଆରସିକୁ ବିରୋଧ କରି ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଜୟପୁରରେ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ସମ୍ବିଧାନ ବଚାଓ ରାଲିରେ ପାଖାପାଖି ୩ ଲକ୍ଷ ଲୋକ ଯୋଗଦେଇଥିଲେ। ସିଏଏ ସମ୍ବିଧାନ ବିରୋଧୀ ଓ ଧର୍ମ ନାମରେ ଲୋକଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ ହେଉଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିବା ସହ ଏହାକୁ ରଦ୍ଦ କରିବା ଲାଗି ଦାବି କରିଥିଲେ। ଏହି ନୀରବ ଶୋଭାଯାତ୍ରାରେ ସିପିଆଇ, ସିପିଏମ୍, ଏଏପି, ସମାଜବାଦୀ ପାର୍ଟି, ଆର୍ଏଲ୍ଡି ଏବଂ ଜେଡିଏସ୍ର ସଦସ୍ୟଙ୍କ ସମେତ ସଂଖ୍ୟାଲଘୁ, ସିଭିଲ ସୋସାଇଟି ସଦସ୍ୟ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଆଲବର୍ଟ ହଲ୍ଠାରୁ ଶୋଭାଯାତ୍ରା ବାହାରି ଗାନ୍ଧୀ ସର୍କଲରେ ପହଞ୍ଚତ୍ଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ଗେହଲଟ ଉଦ୍ବୋଧନ ଦେଇ ସିଏଏ ଏବଂ ଏନ୍ଆର୍ସି ପାଇଁ ଭାଜପା, ଆର୍ଏସ୍ଏସ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଦୋଷ ଦେଇଥିଲେ। ସେମାନେ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ଉଦ୍ୟମ କରୁଥିବା ଗେହଲଟ ଅଭିଯୋଗ କରିଥିଲେ।