Categories: ଜାତୀୟ

ସିଏଏ-ଏନ୍‌ଆର୍‌ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା

ଜୟପୁର,୨୩।୧: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ସିଏଏ ଏବଂ ଏନ୍‌ଆର୍‌ସିକୁ କଡ଼ା ସମାଲୋଚନା କରିଛନ୍ତି। ସିଏଏ-ଏନ୍‌ଆର୍‌ସି ମଧ୍ୟରେ ଥିବା ବିପଦଜନକ ସମ୍ପର୍କ ଯୋଗୁ ଦେଶ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ସେମାନଙ୍କର ଭାରତୀୟତା ପ୍ରମାଣିତ କରିବାକୁ ପଡ଼ିବ। ଏହା ବିରୋଧରେ ବଲିଉଡ୍‌ରେ କଳାକାରମାନେ ନିଜର ମତାମତ ଦେବାରେ ଲାଗିଛନ୍ତି। ଭାରତୀୟ ସମ୍ବିଧାନ ସମସ୍ତଙ୍କୁ କହିବାର ଅଧିକାର ଦେଇଛି। ତେଣୁ କୌଣସି ବିଷୟରେ ନିଜର ମତାମତ ଜାହିର କରିବା କେବେ ମଧ୍ୟ ଦୋଷାଦହ ନୁହେଁ ବୋଲି ସେ କହିଛନ୍ତି। ତେବେ ହିଂସା ବଦଳରେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଲଢ଼େଇ ଜାରି ରଖିବା ଉପରେ ନନ୍ଦିତା ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ପିଢ଼ି ପାଇଁ ଆମେ କିଭଳି ସମାଜ ଛାଡ଼ିଯିବା ତାହା ଆମ ଉପରେ ହିଁ ନିର୍ଭର କରେ। ସିଏଏ-ଏନ୍‌ଆର୍‌ସି ଦେଶର ସାମାଜିକ ବ୍ୟବସ୍ଥାର ମୂଳ ଢ଼ାଞ୍ଚାରେ ନକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।

Share