Categories: ଜାତୀୟ

ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସିକୁ ଦୃଢ଼ ସମର୍ଥନ: ରାଷ୍ଟ୍ରପତିଙ୍କୁ ୧୫୪ ବିଶିଷ୍ଟ ବ୍ୟକ୍ତିଙ୍କ ପତ୍ର

ନୂଆଦିଲ୍ଲୀ,୧୮ା୨ (ପି.ଟି.): କେନ୍ଦ୍ର ସରକାରଙ୍କ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସିକୁ ଅନେକ ସ୍ଥାନରେ ବିରୋଧ କରାଯାଇ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ୧୫୪ ବିଶିଷ୍ଟ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ରଲେଖି ଏଥିପ୍ରତି ଦୃଢ଼ ସମର୍ଥନ ଜଣାଇଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ବିଚାରପତି, ସେନା ଅଧିକାରୀ, ଶିକ୍ଷାବିତ୍‌, ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ଅଛନ୍ତି। ସେମାନେ ପତ୍ରରେ ଲେଖିଛନ୍ତି, ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ବିରୋଧରେ ମିଥ୍ୟା ପ୍ରରୋଚନାରେ ବିକ୍ଷୋଭ ପ୍ରତିବାଦ କରାଯାଉଛି। ଏଭଳି କାର୍ଯ୍ୟ ଦେଶକୁ ବିପଦ ଆଣିଦେବ। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ୧୧ ଜଣ ହାଇକୋର୍ଟର ପୂର୍ବତନ ବିଚାରପତି, ୨୪ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ, ୧୧ ପୂର୍ବତନ ଆଇଏଏଫ୍‌ ଅଧିକାରୀ, ୧୬ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ, ୧୮ ପୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲ ପ୍ରମୁଖ ଅଛନ୍ତି। ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସିକୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି ଓ ବିକ୍ଷୋଭ କରିବା ଲାଗି ପ୍ରୋତ୍ସାହନ କରାଯାଉଛି। ଏନେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ଆଭିମୁଖ୍ୟ ଠିକ୍‌ ବୋଲି ଏମାନେ ଦର୍ଶାଇଛନ୍ତି।

Share