ସିଏଏ ପ୍ରଚାରରେ ଆଜି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ରୂପା ଗାଙ୍ଗୁଲୀ ମଙ୍ଗଳବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ଗାଙ୍ଗୁଲି ନବରଙ୍ଗପୁର ଜିଲା ରାଇଘର ଗସ୍ତ କରିବେ । ରାଇଘର ମିନି ଷ୍ଟାଡିୟମରେ ଅପରାହ୍ନ ୧ଟାରେ ପହଞ୍ଚି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବୁଧବାର ୧୦ଟାରେ ଗାଙ୍ଗୁଲି ମାଲକାନଗିରି ଠାରେ ସିଏଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ସେହିଦିନ ଅପରାହ୍ନରେ ସେ ଜୟପୁରଠାରେ ସିଏଏ ବିଭିନ୍ନ ଦିଗ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ା ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କ ଅଧିକାର କ୍ଷୁଣ୍ଣ ହେବନାହିଁ। ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କେତୋଟି ଆଞ୍ଚଳିକ ଦଳ ଏହି ଆଇନ ବିରୋଧରେ କୁପ୍ରଚାର କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ସାମଲ କହିଛନ୍ତି ା ସିଏଏ ସପକ୍ଷରେ ଦେଶର ୩କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଭାଜପା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି।

Share