Categories: ଜାତୀୟ

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏହି ଦୁଇ ଦଳ ପୋଡ଼ାଜଳା କରି ପାପ କରିଛନ୍ତି ବୋଲି ସେ ଏକ ଜନସମାବେଶରେ ପ୍ରକାଶ କରିଛନ୍ତି। ସବୁଠାରୁ ଲଜ୍ଜାର କଥା ହେଉଛି, ଏଭଳି କାଣ୍ଡ କରି ସେମାନେ କ୍ଷତିଗ୍ରସ୍ତଙ୍କୁ ଆଇନଗତ ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଭଳି ଷଡ଼ଯନ୍ତ୍ର ପଛରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଥିବା ଶାହା କହିଛନ୍ତି। ସିଏଏ ଦ୍ୱାରା ନାଗରିକତ୍ୱ ଚାଲିଯିବ ବୋଲି କହି ଲୋକଙ୍କୁ ସେମାନେ ଭୁଆଁ ବୁଲାଉଛନ୍ତି। ଏଭଳି ମିଛ କହି ଲୋକଙ୍କୁ ଆତଙ୍କିତ କରାଯିବା ଅନୁଚିତ ବୋଲି ଶାହା କହିଛନ୍ତି। ରାହୁଲ ଓ କେଜ୍‌ରିଓ୍ବାଲ ପାକିସ୍ତାନର ଭାଷା କହୁଛନ୍ତି। ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମାଗୁଛନ୍ତି। ମୋଦି ଉଲ୍ଲେଖନୀୟ ପଦକ୍ଷେପ ନେଇ ୩୭୦ ଧାରା ଉଚ୍ଛେଦ କଲେ ଓ ରାମମନ୍ଦିର ନିର୍ମାଣ ରାସ୍ତା ମଧ୍ୟ ଫିଟିଲା। କିନ୍ତୁ କଂଗ୍ରେସ ଏକ୍ଷେତ୍ରରେ ଦୋମୁହାଁ ନୀତି ଆପଣାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଜେଏନ୍‌ୟୁରେ ଭାରତବିରୋଧୀ ସ୍ଲୋଗାନ ଦିଆଯାଉଥିବାବେଳେ କେଜ୍‌ରିଓ୍ବାଲ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶାହା କହିଛନ୍ତି।

Share