Categories: ଜାତୀୟ

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କ ପାଖକୁ ନୋଟିସ ପଠାଇଛି ଉତ୍ତରପ୍ରଦେଶ ପୋଲିସ

ଲକ୍ଷ୍ନୌ,୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଓ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏଥିରେ ପୋଲିସର କିଛି ତ୍ରୁଟି ରହିଯାଇଥିବା ପରିଲିଖିତ ହୋଇଛି। କିଛି ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚା ପରିସରକୁ ଆସିଛି। ସୂଚନା ମୁତାବକ ସିଏଏ ହିଂସା ପାଇଁ ଫିରୋଜାବାଦର ଜଣେ ମୃତବ୍ୟକ୍ତିଙ୍କ ନାଁରେ ପୋଲିସ ନୋଟିସ ଜାରି କରିଛି। ଏଥିସହ ୯୦ବର୍ଷ ବୟସର ଶର୍ଯ୍ୟାଶୀୟୀ ଓ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ପୋଲିସ ନୋଟିସ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବନ୍ନେ ଖାଁଙ୍କ ନାମକ ବ୍ୟକ୍ତିଙ୍କ ୬ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଫିରୋଜାବାଦରେ ଶାନ୍ତି ଭଙ୍ଗ କରିବା ଭୟରେ ପୋଲିସ ତାଙ୍କୁ ନୋଟିସ ପଠାଇଛି। ଏହାପରେ ମୃତକଙ୍କ ପରିବାର ଲୋକ ପୋଲିସକୁ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଦେଖାଇଥିଲେ। ସେହିପରି ୯୦ବର୍ଷ ବୟସର ସୁଫି ଅନ୍‌ସାର ହୁସୈନ ନିମୋନିଆରେ ପୀଡ଼ିତ ଥିବା ବେଳେ ନିକଟରେ ଗଙ୍ଗାରାମ ହସ୍ପିଟାଲରୁ ନିଜର ଚିକିତ୍ସା କରାଇ ଫେରିଛନ୍ତି। ଆଉ ଏମାନଙ୍କ ନାଁରେ ସିଏଏ ହିଂସାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହାକୁ ଦେଖିଲେ ଲାଗୁଛି ପୋଲିସ ଆଖି ବନ୍ଦ କରି କାର୍ଯ୍ୟ କରୁଛି। ଅପରପକ୍ଷେ ଖାଁ ଓ ହୁସୈନ ଦୁହେଁ ଶାନ୍ତି କମିଟିର ସଦସ୍ୟ ଥିବା ବେଳେ ପୋଲିସର ଏଭଳି ଅବହେଳା ତା’ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share