Categories: ବାଣିଜ୍ୟ

ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍‌ଓର ଅଡିଟର ନିର୍ବାଚିତ; ୨୦୨୩ ଯାଏ ଦାୟିତ୍ୱରେ ରହିବେ

ନୂଆଦିଲ୍ଲୀ,୪-୬: ଦେଶର ମହାଲେଖା ନିୟନ୍ତ୍ରକ ଏବଂ ପରୀକ୍ଷକ(ସିଏଜି) ରାଜୀବ ମେହର୍ଷି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ବାହ୍ୟ ଲେଖା ପରୀକ୍ଷକ ବା ଅଡିଟର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ରହିବ। ସୋମବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି। ମେହର୍ଷିଙ୍କୁ ଗତ ମାସରେ ଜେନିଭାରେ ଅନୁଷ୍ଠିତ ୭୨ତମ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାସଭାରେ ବହୁମତରେ ନିର୍ବାଚିତ କରାଯାଇଥିଲା। ଭାରତ ବ୍ୟତୀତ ଏହି ପଦ ଲାଗି କଂଗୋ, ଫ୍ରାନ୍ସ, ଘାନା, ଟ୍ୟୁନିସିଆ, ବ୍ରିଟେନ ଏବଂ ଉତ୍ତର ଆର୍ୟଲାଣ୍ଡର ସିଏଜି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ସିଏଜି ମେହର୍ଷି ଡବ୍ଲ୍ୟୁଏଚ୍‌ଓରେ ବାହ୍ୟ ଅଡିଟର ଭାବେ କାର୍ଯ୍ୟରତ ଫିଲିପାଇନ୍ସର ସୁପ୍ରିମ ଅଡିଟ ଇନ୍‌ଷ୍ଟିଚ୍ୟୁଶନର ସ୍ଥାନ ନେବେ। ସିଏଜି ମେହର୍ଷିଙ୍କ ଲାଗି ଚଳିତ ବର୍ଷ ଦ୍ୱିତୀୟ ବଡ଼ ଅନ୍ତରାଷ୍ଟ୍ରୀୟ ଲେଖା ପରୀକ୍ଷଣ କାମ ହେବ। ଏଥିପୂର୍ବରୁ ମାର୍ଚ୍ଚ ୨୦୧୯ରେ ତାଙ୍କୁ ରୋମ୍‌ରେ ଖାଦ୍ୟ ଏବଂ କୃଷି ସଂଗଠନର ବାହ୍ୟ ଲେଖା ପରୀକ୍ଷକ ଭାବେ ନିର୍ବାଚିତ କରାଯାଇଥିଲା। ସେ ଏବେ ଜାତିସଂଘର ବୋର୍ଡ ଅଫ୍‌ ଅଡିଟର୍ସରେ ସାମିଲ ହୋଇଛନ୍ତି। ଏଥିସହିତ ସେ ଜାତିସଂଘର ବାହ୍ୟ ଅଡିଟର୍ସ ପ୍ୟାନେଲର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।

Share