ସିଏମ୍‌ସି ଅଫିସ୍‌କୁ ସର୍ବସାଧାରଣ ମନା

କଟକ ଅଫିସ,୩।୭: କଟକ ମହାନଗର ନିଗମ (ସିଏମ୍‌ସି) କାର୍ଯ୍ୟାଳୟକୁ ସାଧାରଣ ନାଗରିକଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ବିଜୁଭବନ ଓ ବିକାଶ ଭବନକୁ ଯିବା ପାଇଁ ବାରଣ ହୋଇଛି। ଏନେଇ ଗୁରୁବାର ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କଟକ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସିଏମ୍‌ସି ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ବଢୁଛି। ଯାହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମ୍‌ସି) ସମସ୍ତ ନାଗରିକଙ୍କୁ ୧୫ ଦିନ ପାଇଁ କାର୍ଯ୍ୟାଳୟକୁ ନ ଆସିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଏହା ବଦଳରେ ଅନ୍‌ଲାଇନ ମାଧ୍ୟମରେ ଲୋକେ ନିଜର ସମସ୍ତ କାର୍ଯ୍ୟ କରିପାରିବେ। ଜୁଲାଇ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନରେ କାର୍ଯ୍ୟ କରାଯିବ। ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ, ଅଭିଯୋଗ ଶୁଣାଣି, ବିବାହ ପ୍ରମାଣପତ୍ର ଆବେଦନ, ବୀମା ଏବଂ ଜନ୍ମମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ରର ସମସ୍ତ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେବ।