ସିଏମ୍‌ସି ପକ୍ଷରୁ ଜାରି ହେଲା ଏସ୍‌ଓପି; କରୋନା: ବଢୁଛି ସଚେତନତା, ସତର୍କତା

କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା ସହ ସଚେତନ ହେବାରେ ଲାଗିଛନ୍ତି। ମୁହଁରେ ମାସ୍କ ବାନ୍ଧି ଯାତାୟତ କରୁଥିବାବେଳେ ସାନିଟାଇଜର ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ମଙ୍ଗଳବାର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ସାଧାରଣ ଲୋକ କିପରି ସଚେନତ ରହିବେ ସେ ନେଇ ସିଏମ୍‌ସି ପକ୍ଷରୁ ରହିଛି କିଛି ସ୍ବତନ୍ତ୍ର ନିର୍ଦ୍ଦେଶ। ସମସ୍ତ ହୋଟେଲ, ଲଜ୍‌, ଶପିଂମଲ୍‌, ବାଣିଜ୍ୟ ଅନୁଷ୍ଠାନ, କଲ୍ୟାଣମଣ୍ଡପ, ପାର୍କ, ରେଷ୍ଟୁରାଣ୍ଟ ଓ ଦୋକାନ ମାଲିକଙ୍କ ସହ କର୍ମକର୍ତ୍ତାମାନେ ଏହାକୁ ଅନୁପାଳନ କରିବାକୁ ସିଏମ୍‌ସି କମିଶନର ଏକ ନିୟମାବଳୀ ମାଧ୍ୟମରେ ଦର୍ଶାଇଛନ୍ତି। ଉପରୋକ୍ତ ସମସ୍ତ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କିଭଳି ଭାବେ ପ୍ରାଥମିକ ପଦକ୍ଷେପ ନିଆଯିବ ସେ ନେଇ ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି। ଏତଦ୍‌ବ୍ୟତୀତ ଧାର୍ମିକ ଅନୁଷ୍ଠାନଗୁଡିକ ପାଇଁ ଏକ ଭିନ୍ନ ଏସ୍‌ଓପି ଜାରି ହୋଇଛି। ଲୋକଙ୍କ ସହାୟତା ପାଇଁ ସିଏମ୍‌ସିର ଏକ କଣ୍ଟ୍ରୋଲ ରୁମ୍‌ (ନଂ.୭୦୭୭୭୭୫୫୫୫) କାର୍ଯ୍ୟ କରୁଛି। କମିଶନରଙ୍କ ନିର୍ଦ୍ଦେଶରେ ୫ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଛି। ଏହି ସ୍କ୍ବାର୍ଡ ୪୩ଟି ମେଡିସିନ ଦୋକାନ ପରିଦର୍ଶନ କରିବା ସହିତ ମାସ୍କ ଓ ସାନିଟାଇଜର ଉପଲବ୍ଧ ସମ୍ବନ୍ଧରେ ଟିକିନିଖି ଖବର ବୁଝିଥିବା ଜଣାପଡିଛି। ଅନ୍ୟପକ୍ଷରେ ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ପଦକ୍ଷେପ ନିଆଯାଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ଏଥିପାଇଁ ସାହାଯ୍ୟର ହାତ ବଢେଇଛନ୍ତି।

ସଚେତନ କଲେ ବିଧାୟକ
ବିଧାୟକ ଇଂ. ମହମ୍ମଦ ମୋକିମ ମଙ୍ଗଳବାର ସିଏମ୍‌ସିର ୱାର୍ଡ ନଂ.୧୭ରେ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ। ଏଥିସହ ପଟ୍ଟାପୋଲ, ପେନ୍‌ସନ୍‌ ଲେନ୍‌, ସୂତାହାଟ ଆଦି ଅଞ୍ଚଳରେ ବିଧାୟକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ମୋକିମ ଘରକୁ ଘର ବୁଲି ପରିଷ୍କାର ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା, ଶୈଳବାଳା ଜେନା, ସେକ୍‌ ଲିଆକତଉଦ୍ଦିନ, ସୂର୍ଯ୍ୟକାନ୍ତ ରାଉତ, ସେକ୍‌ ଗୁଲାମ ମୋଇଦ୍ଦିନ ପ୍ରମୁଖ ସାମିଲ ହୋଇଥିଲେ।

Share