ସିଏମ୍‌ସି ମନା କଲା ‘ଶବ ଛୁଇଁବୁନି’: ମୃତ୍ୟୁ ପରେ ଲାଗିଲା ହୋମ୍‌ କ୍ବାରାଣ୍ଟାଇନ ଷ୍ଟିକର

କଟକ ଅଫିସ,୧୭ା୬: ମହାନଦୀ ବିହାରରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବୃଦ୍ଧଙ୍କ ମୃତଦେହ ୮ ଘଣ୍ଟା ପଡ଼ି ରହିବା ପରେ ଆମ୍ବୁଲାନ୍ସ ପହଞ୍ଚତ୍ଥିଲା। ବୃଦ୍ଧ ଜଣଙ୍କ ଗତ ୧୦ ତାରିଖରୁ ହୋମ କ୍ବାରାଣ୍ଟାଇନରେ ଥିଲେ। ସିଏମ୍‌ସି ପକ୍ଷରୁ ଯାଇଥିବା ଏହି ଆମ୍ବୁଲାନ୍ସର କର୍ମଚାରୀମାନେ ମୃତଦେହ ଉଠାଇବା ଲାଗି ମନା କରିଦେଇଥିଲେ। ଏପରିକି ଘରର ଦୁଆର ମଧ୍ୟ ମାଡ଼ି ନ ଥିଲେ ବୋଲି ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହୋମ କ୍ବାରାଣ୍ଟାଇନରେ ଥିଲେ ସୁଦ୍ଧା ତାଙ୍କର ଏଯାଏ ସ୍ବାବ୍‌ ପରୀକ୍ଷା ହୋଇ ନ ଥିଲା କି ଘର କବାଟରେ ହୋମ କ୍ବାରାଣ୍ଟାଇନ ଷ୍ଟିକର ଲାଗି ନ ଥିଲା। ଏନେଇ ଉତ୍ତେଜନା ସୃଷ୍ଟି ଓ ସିଏମ୍‌ସି କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିବା ବେଳେ କେତେଜଣ ବରିଷ୍ଠ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ମୃତ ବ୍ୟକ୍ତି ଜଣଙ୍କ ହେଲେ ମହାନଦୀବିହାର ପ୍ଲଟ ନଂ-୨୨୨ର ବାସିନ୍ଦା ବିଶ୍ୱନାଥ ମହାନ୍ତି (୬୬)। ମାଡ୍ରାସରେ ପୁଅ ସ୍ବସ୍ତିକ ମହାନ୍ତିଙ୍କ ପାଖରେ ରହୁଥିବା ବେଳେ ଗତ ୧୦ ତାରିଖରେ ସେ କଟକ ଫେରିଥିଲେ। କଟକ ଫେରିବା ନେଇ ସେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜଣାଇ ହୋମ୍‌ କ୍ବାରାଣ୍ଟାଇନରେ ଥିଲେ। ଇତି ମଧ୍ୟରେ ଜଣେ ହେଲେ ସ୍ବାସ୍ଥ୍ୟକର୍ମୀ ଘରକୁ ଆସି ନ ଥିବା ବିଶ୍ୱନାଥଙ୍କ ସମ୍ପର୍କୀୟ ନିଖିଳ ମହାନ୍ତି କହିଛନ୍ତି। ମଙ୍ଗଳବାର ଭୋର ୬ଟା ୩୦ରେ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ନେବା ପାଇଁ ସିଏମ୍‌ସି ଓ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ୮ ଘଣ୍ଟା ବିଳମ୍ବରେ ସିଏମ୍‌ସିର ଏକ ଆମ୍ବୁଲାନ୍ସ ପହଞ୍ଚତ୍ବା ପରେ କର୍ମଚାରୀମାନେ ମୃତଦେହ ଉଠାଇବାକୁ ମନା କରିଥିଲେ। ତେବେ ମୃତ୍ୟୁ ପରେ ବିଶ୍ୱନାଥଙ୍କ ସ୍ବାବ୍‌ ପରୀକ୍ଷା ହୋଇଛି ଓ ରିପୋର୍ଟ ନେଗେଟିଭ ଆସିଛି। ଏବେ ମୃତଦେହ ଏସ୍‌ସିବିରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ଛୁଇଁବା ଆବଶ୍ୟକ ନାହିଁ। କେବଳ ମୃତଦେହ ନେବା ଆମ ଦାୟିତ୍ୱ। ଏହାଛଡ଼ା ଆମ୍ବୁଲାନ୍ସ ବିଳମ୍ବରେ ପଠାଇବାକୁ ସେମାନଙ୍କ ପରିବାର ଲୋକେ କହିଥିବା କମିଶନର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share