Categories: ବାଣିଜ୍ୟ

ସିଏସ୍‌ଆର୍‌ ପାଣ୍ଠିର ଠିକ୍‌ ବିନିଯୋଗୀ ଜରୁରୀ

ଭୁବନେଶ୍ୱର (ବ୍ୟୁରୋ),୧୦।୧୧: କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ପାଣ୍ଠି ମାଧ୍ୟମରେ ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳରେ ଥିବା ଗ୍ରାମୀଣ ଭିତ୍ତିଭୂମି ବିକାଶ, ରୋଜଗାର ଏବଂ ଆର୍ଥତ୍କ ପ୍ରଗତି ସାଧନ ହୋଇଥାଏ। ଏହି ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ କରିବାର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ। ଅନ୍ୟ ଅଂଶୀଦାରମାନେ ମଧ୍ୟ ଏକ୍ଷେତ୍ରରେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶନିବାର କହିଛନ୍ତି।
ଓଡ଼ିଶା ସିଏସ୍‌ଆର୍‌ ଫୋରମ୍‌ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସିଏସ୍‌ଆର୍‌-ଏଚ୍‌ଆର୍‌ କଲୋକିୟମ ୨୦୧୯ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପାତ୍ର କହିଛନ୍ତି ଯେ, ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଫୋରମ୍‌ ଦାୟିତ୍ୱବାନ ହେବା ଉଚିତ। ଏହା ହେଲେ ସିଏସ୍‌ଆର୍‌ ପାଣ୍ଠିର ସୁଦୁପଯୋଗ ହେବା ସହ ପାରିପାଶ୍ୱିକ ବିକାଶ ସମ୍ଭବ ହେବ। ଅପରପକ୍ଷରେ ଶିଳ୍ପସଂସ୍ଥାଗୁଡିକ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ହ୍ରାସ କରିବା ଆବଶ୍ୟକତା ଉପରେ ପାତ୍ର ଏଥିରେ ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ଏସ୍‌ଆର୍‌ର ବିଭିନ୍ନ ଦିଗ ଉପରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଲୋଚନା କରିଥିଲେ। ଓଡ଼ିଶା ସିଏସ୍‌ଆର୍‌ ଫୋରମର ଆବାହକ ବି.କେ. ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ସଂସ୍ଥାନ, ଆର୍ଥତ୍କ ସଂସ୍ଥା, ସ୍ବେଚ୍ଛାସେବୀ ସଂଗଠନ, କର୍ପୋରେଟ, ସିଭିଲ୍‌ ସୋସାଇଟି ଏବଂ ସରକାରୀ ସଂସ୍ଥାର ଅଧିକାରୀ ଯୋଗଦେଇଥିଲେ। ଉଲ୍ଲେଖନୀୟ ଯୋଗଦାନ ଲାଗି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

Share