Categories: ଖେଳ

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ପଦର ଦାୟିତ୍ୱ ହାତକୁ ନେବେ। ସେ ୩୯ତମ ଅଧ୍ୟକ୍ଷ ଭାବେ ଏହି ହାଇପ୍ରୋଫାଇଲ ପଦରେ ଆନୁଷ୍ଠାନିକ ଭାବେ ନିଯୁକ୍ତ ହେବେ। ଏଥିସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ)ର ରାଜୁତି ତଥା କାର୍ଯ୍ୟକାଳ ଶେଷ ହେବ। ଭାରତୀୟ କ୍ରିକେଟରେ ସ୍ବଚ୍ଛତା ଓ ସଂସ୍କାର ଆଣିବା ପାଇଁ ସିଓଏ ଗତ ୩୩ମାସ ଧରି କାର୍ଯ୍ୟ କରିଆସୁଥିଲା।
ଗାଙ୍ଗୁଲି ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଥିଲେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଆ ଜୟ ଶାହା ବୋର୍ଡ ସମ୍ପାଦକ ହିସାବରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଉତ୍ତରାଖଣ୍ଡର ମହିମ ବର୍ମା ନୂଆ ବୋର୍ଡ ଉପ- ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ଓ କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
ତେବେ ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ଗାଙ୍ଗୁଲି ମାତ୍ର ୯ ମାସ ପାଇଁ ଦାୟିତ୍ୱରେ ରହିବେ। ତାଙ୍କୁ ଆସନ୍ତାବର୍ଷ ଜୁଲାଇରେ ପଦ ଛାଡିବାକୁ ପଡିବ। ବୋର୍ଡ କିମ୍ବା ଅନୁବନ୍ଧିତ ଆସୋସିଏଶନରେ କୌଣସି ପଦରେ ୬ ବର୍ଷ କାର୍ଯ୍ୟ କରିବା ପରେ ଜଣେ ଅଧିକାରୀଙ୍କୁ ‘କୁଲିଂ ଅଫ୍‌’ ପିରିୟଡ ଦେଇ ଗତିକରିବାକୁ ହୋଇଥାଏ। ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ବେଙ୍ଗଲ(ସିଏବି)ର ସମ୍ପାଦକ ଓ ପରେ ଅଧ୍ୟକ୍ଷ ହିସାବରେ ୫ ବର୍ଷ କାର୍ଯ୍ୟ କରିସାରିଛନ୍ତି। ତେଣୁ ୯ ମାସ କାର୍ଯ୍ୟକାଳ ପରେ ସେ ‘କୁଲିଂ ଅଫ୍‌’ ପିରିୟଡ ପାଇଁ ପଦ ଛାଡିବାକୁ ହେବ। ଗାଙ୍ଗୁଲି ଏହି ଅଭିଜ୍ଞତାର ଫାଇଦା ଉଠାଇବେ ଓ ଭାରତୀୟ କ୍ରିକେଟକୁ ଆଗୁ ନେବାରେ ତ୍ୱରିତ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି।
ଗାଙ୍ଗୁଲି ମଧ୍ୟ କେତୋଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ ବୋଲି ସୂଚନା ଦେଇସାରିଛନ୍ତି। ଦେଶରେ ପ୍ରଥମ ଶ୍ରେଣୀ କ୍ରିକେଟର ପୁନର୍ଗଠନକୁ ସେ ପ୍ରାଧାନ୍ୟ ଦେବେ। ଭାରତୀୟ କ୍ରିକେଟ ପ୍ରଶାସନକୁ ପୁଣି ଟ୍ରାକକୁ ଆଣିବାକୁ ସେ ଚେଷ୍ଟା କରିବେ। ସେହିପରି ଅନ୍ତର୍ଜାତୀୟ କ୍ରିକେଟ ଆସୋସିଏଶନ (ଆଇସିସି) ସହ ସନ୍ତୁଳନ ରକ୍ଷା କାର୍ଯ୍ୟ କରିବା ସହ ଭାରତକୁ କ୍ରିକେଟ ମହାଶକ୍ତିର ପରିଚୟ ଦେବାକୁ ସେ ପ୍ରୟାସ କରିବେ ବୋଲି ଆଶା କରାଯାଉଛି।
ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମ ପାଇଁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଓ ଜାତୀୟ ଚୟନ କମିଟିରେ ପୂର୍ବତନ କ୍ରିକେଟର ତଥା ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ନେଇ ସେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। କିଛି କରିବା ପାଇଁ ମୋତେ ସୌଭାଗ୍ୟ ମିଳିଛି ବୋଲି ଗାଙ୍ଗୁଲି କହିଛନ୍ତି। ୯ ମାସ ବହୁତ କମ୍‌ ସମୟ। ତେବେ ଏହି ସ୍ବଳ୍ପ ସମୟରେ ଗାଙ୍ଗୁଲି କିଭଳି ବୋର୍ଡର ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଅଯୋଗ୍ୟ ଘୋଷିତ ହୋଇଥିବା ପୂର୍ବତନ ତଥା ବରିଷ୍ଠ ପ୍ରଶାସକ ଏନ. ଶ୍ରୀନିବାସନ ଓ ନିରଞ୍ଜନ ଶାହଙ୍କ ସନ୍ତାନମାନେ ଏବେ ବିସିସିଆଇର ବିଭିନ୍ନ ପଦକୁ ନିର୍ବାଚିତ ହୋଇଥିବାରୁ ଏହି ପରିସ୍ଥିତି ସମ୍ଭାଳିବା ନେଇ ଗାଙ୍ଗୁଲି ପରୀକ୍ଷାର ସମ୍ମୁଖୀନ ହେବେ।
ପୁଣି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ତାଙ୍କର ଭୂମିକା କ’ଣ ହେବ ତାହା ପରେ ଜଣାପଡିବ। ଦିବାରାତ୍ର ଟେଷ୍ଟ କ୍ରିକେଟ ଓ ସ୍ଥାୟୀ ଟେଷ୍ଟ ସେଣ୍ଟର ସେ କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ସିଓଏର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହାର ଅଧ୍ୟକ୍ଷ ବିନୋଦ ରାଏ ମଧ୍ୟ ମତ ରଖିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିଆସିଛୁ ଓ ଏନେଇ ଆମେ ସନ୍ତୁଷ୍ଟ। ଏବେ କୋର୍ଟ ଆମକୁ ଦାୟିତ୍ୱରୁ ବାଦ୍‌ ଦେବେ ବୋଲି ସେ କହିଛନ୍ତି।

Share