ସିଓଏ ବୈଠକରେ ଯୋଗଦେବେ କୋହଲି, ଶାସ୍ତ୍ରୀ

ଲଣ୍ଡନ,୧୨।୭(ପି.ଟି.)- ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତୀୟ ଦଳର ବିଶ୍ୱକପ୍‌ ପ୍ରଦର୍ଶନକୁ ରିଭ୍ୟୁ କରିବ। ଏଥିରେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ରୋଡ୍‌ମ୍ୟାପ ମଧ୍ୟ ପ୍ରସ୍ତୁତ ହେବ। ବିନୋଦ ରାଏଙ୍କ ଅଧ୍ୟକ୍ଷତାରେ ସିଓଏ ସଦସ୍ୟ ଡାଇନା ଇଡୁଲଜି ଓ ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରବି ଥୋଡ୍‌ଗେ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦଙ୍କ ସହ ଆଲୋଚନା କରିବେ। କୋହଲି, ଶାସ୍ତ୍ରୀ ଓ ପ୍ରସାଦଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମତଃ ଅମ୍ବାତି ରାୟୁଡୁ ଯଦି ୪ର୍ଥ କ୍ରମର ବ୍ୟାଟ୍ସମ୍ୟାନ ଲାଗି ବିକଳ୍ପ ନ ଥିଲେ, ତାଙ୍କୁ କେଉଁ କାରଣରୁ ବିଶ୍ୱକପ୍‌ ପୂର୍ବ ସିରିଜ ପର୍ଯ୍ୟନ୍ତ ଦଳରେ ଚୟନ କରାଯାଉଥିଲା। ଦ୍ୱିତୀୟଟି ହେଉଛି, ଦଳରେ କ’ଣ ପାଇଁ ୩ ଉଇକେଟକିପର ଖେଳିଥିଲେ। ତୃତୀୟ ହେଲା ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ନଂ କ୍ରମ ପୂର୍ବରୁ କାହିଁକି ବ୍ୟାଟିଂ କରିବାକୁ ଛଡ଼ାଗଲା ନାହିଁ। ମିଳିଥିବା ସୂଚନା ମୁତାବକ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପରାମର୍ଶକ୍ରମେ ଧୋନୀଙ୍କୁ ବିଳମ୍ବରେ ଛଡ଼ାଗଲା।

Share