Categories: ଖେଳ

ସିକନ୍ଦରଙ୍କୁ ୭ ଉଇକେଟ: ଜିମ୍ବାଓ୍ବେ ସ୍ଥିତି ଦୃଢ଼

ହରାରେ, ୩୦।୧- ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ ଇନିଂସ୍‌ରେ ୧୧୫.୩ ଓଭରରେ ୪୦୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ ପ୍ରଥମ ଇନିଂସ୍‌ ଆରମ୍ଭ କରି ଶ୍ରୀଲଙ୍କା ୧୧୯.୫ ଓଭରରେ ୨୯୩ ରନ୍‌ କରି ଅଲଆଉଟ ହୋଇ ୧୧୩ ରନ୍‌ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଜିମ୍ବାଓ୍ବେ ବୁଧବାର ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନ ଖେଳ ଶେଷସୁଦ୍ଧା ୨୦.୫ ଓଭରରେ ଗୋଟିଏ ଉଇକେଟ ହରାଇ ୬୨ ରନ୍‌ ସଂଗ୍ରହ କରିଛି। ଫଳରେ ୯ ଉଇକେଟ ହାତରେ ରଖି ଜିମ୍ବାଓ୍ବେ ୧୭୫ ରନ୍‌ର ଅଗ୍ରଣୀ ହାସଲ କରିଛି। କ୍ରୋଗ୍‌ ଏରିଭିନ୍‌ ୧୩ ରନ୍‌ କରି ବିଶ୍ୱ ଫର୍ନାଣ୍ଡୋଙ୍କ ଦ୍ୱାରା ଆଉଟ ହୋଇଥିବା ବେଳେ ପ୍ରିନ୍ସ ମାସଭାଉରେ ୨୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରେଗିସ ଚକଭା ୧୪ ରନ କରି ଅପରାଜିତ ରହିଛନ୍ତି। ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୧୨୨/୨ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ବୁଧବାର ଅଲ୍‌ଆଉଟ ହୋଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଶ୍ରୀଲଙ୍କା ତରଫରୁ ଆଞ୍ଜେଲୋ ମାଥ୍ୟୁସ ସର୍ବାଧିକ ୬୪, ଅଧିନାୟକ ଦିମୁଥ କରୁଣାରତ୍ନେ ୪୪, ଓଶାଡା ଫର୍ନାଣ୍ଡୋ ୪୪, ଧନଞ୍ଜୟ ଡି ସିଲ୍‌ଭା ୪୨, ବିଶ୍ୱ ଫର୍ନାଣ୍ଡୋ ୩୮ ରନ୍‌ କରି ଆଉଟ ହୋଇଥିଲେ। ବୋଲିଂରେ ଜିମ୍ବାଓ୍ବେ ତରଫରୁ ଅଫ୍‌ ସ୍ପିନର ସିକନ୍ଦର ରାଜା ସର୍ବାଧିକ ୭ ଉଇକେଟ ଅକ୍ତିଆର କରିଥିଲେ।

Share