ସିକିମ, ନାଗାଲାଣ୍ଡ, ତ୍ରିପୁରା କରୋନାମୁକ୍ତ

ନୂଆଦିଲ୍ଲୀ,୨୫ା୪: :ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଇତିମଧ୍ୟରେ ଭଲ ଖବର ଆସିଛି ସିକିମ, ନାଗାଲାଣ୍ଡ ଓ ତ୍ରିପୁରାରୁ। ଏହି ୩ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଶୂନ। ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ଉପରେ ସିକିମ ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ କଟକଣା ଜାରି ସହ ଅନ୍ୟ କେତେକ ପଦକ୍ଷେପ ନେଇଥିବାରୁ ସେଠାରେ ଜଣେ ହେଲେ କରୋନା ରୋଗୀ ନାହାନ୍ତି। ସେହିପରି ନାଗାଲାଣ୍ଡରେ ଜଣେ ମାତ୍ର ସଂକ୍ରମିତ ଥିଲେ। ଦିମାପୁର ଜିଲାର ଏହି ବ୍ୟକ୍ତିଙ୍କୁ ଆସାମକୁ ସ୍ଥନାନ୍ତର କରାଯାଇ ଚିକିତ୍ସା କରାଯାଉଛି। ନାଗାଲାଣ୍ଡରେ ୬୦୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪୩ ଜଣଙ୍କ ନେଗେଟିଭ୍‌ ବାହାରିଥିବାବେଳେ ଅବଶିଷ୍ଟ ୬୪ ଜଣଙ୍କ ରିପୋର୍ଟ ଆସନ୍ତା ୨୬ରେ ଆସିବ। ଅନୁରୂପ ଭାବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଘୋଷଣା କରିଛନ୍ତି ଯେ, ତାଙ୍କ ରାଜ୍ୟ ସମ୍ପୂର୍ଣ୍ଣ କରୋନାମୁକ୍ତ। ତ୍ରିପୁରାର ପ୍ରଥମ କୋଭିଡ୍‌-୧୯ ରୋଗୀ (ମହିଳା) ଆଇସୋଲେଶନରେ ରହିବା ପରେ ସୁସ୍ଥ ହୋଇ ଫେରିଛନ୍ତି। ଦ୍ୱିତୀୟ ସଂକ୍ରମିତ ମଧ୍ୟ ଆଇସୋଲେଶନରେ ରହି ଆରୋଗ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share