ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠିବା ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ‘ମିଶନ୍ କଶ୍ମୀର’ ନିଷ୍ପତ୍ତି ଗୁପ୍ତ ଭାବରେ ନିଆଯାଇଥିଲା, ଏପରିକି ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମଧ୍ୟ ଏନେଇ କୌଣସି ସୂଚନା ନ ଥିଲା। ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ‘ମିଶନ୍ କଶ୍ମୀର’କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ମୋଦିଙ୍କ ଜଣେ ବିଶ୍ୱାସଯୋଗ୍ୟ ଅଧିକାରୀ ଏନେଇ ସବୁ କାଗଜପତ୍ର ଏକାଠି କରିଥିଲେ। କଶ୍ମୀର ନିଷ୍ପତ୍ତି ନିଆଯିବା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବରିଷ୍ଠ ଅଧିକାରୀ ଏବଂ ମୋଦି ମିଶି କଶ୍ମୀର ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହାର ଆଇନଗତ କାର୍ଯ୍ୟକାରିତା ଦିଗ ଉପରେ ସମୀକ୍ଷା ଦାୟିତ୍ୱ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ତାଙ୍କ ଏକ କୋର୍ ଟିମକୁ ଦିଆଯାଇଥିଲା।ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଆର୍ମି ମୁଖ୍ୟ ବିପିନ୍ ରାଓ୍ବତ୍ ସହ ଆଲୋଚନା କରି କଶ୍ମୀରରେ ଅତିରିକ୍ତ ସୈନ୍ୟ ମୃତୟନ ପାଇଁ ନିଷ୍ପତ୍ତି ନେଇଥିଲେ।