ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସାର୍ଥ ଅଞ୍ଚଳ ରାଜଧାନୀ ଛକରେ ଗ୍ରାମବାସୀ ରାସ୍ତାରୋକୋ କରିଥିବା ସୂଚନା ମିଳିଛି।

ସାର୍ଥା ଛକରେ ରମେଶ ପାତ୍ର ନାମକ ଜଣେ ଯୁବକ ପାନ ଦୋକାନ କରିଛନ୍ତି। ବୁଧବାର ରାତି ୮ଟା ସମୟରେ ଗୋଟିଏ ଗାଡ଼ିରେ ୪ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ରମେଶଙ୍କୁ ସିଗାରେଟ ମାଗିଥିଲେ। ସେଠାରେ ସିଗାରେଟର ମୂଲ୍ୟ ୭ଟଙ୍କାକୁ ନେଇ ଦୋକାନୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରମେଶ ତାଙ୍କ ଭାଇ ସୁବାସଙ୍କୁ ଡାକିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବାପରେ ଯୁବକମାନେ ଏକ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୁବାସ ଗୁରୁତର ହୋଇଥିଲେ। ତେବେ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ସୁବାସଙ୍କ ଏଭଳି ପରିସ୍ଥିତି ଦେଖି ଗ୍ରାମବାସୀ ଉକ୍ତ ଯୁବକମାନଙ୍କୁ ଅଟକାଇ ମାରପିଟ୍‌ କରିଥିଲେ। ଏଣୁ ସେମାନେ ମଧ୍ୟ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସୁବାସଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମବାସୀ ରାସ୍ତାରୋକୋ କରିଥିବା ଜଣାପଡ଼ିଛି।

Share