ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି ପାରୁନାହାନ୍ତି ଅନେକେ। ହେଲେ ଏହାର କୁପ୍ରଭାବ ଫୁସ୍‌ଫୁସ୍‌କୁ କିପରି ପ୍ରଭାବିତ କରୁଛି ତାହାର ଏକ ଭୟଙ୍କର ଚିତ୍ର ଏବେ ସୋସିଆଲ ମିଡିଆରେ ସୃଷ୍ଟି କରିଛି ଆଲୋଡ଼ନ। ଦୀର୍ଘବର୍ଷ ଧରି ସିଗାରେଟ ଟାଣିବା ଫଳରେ ଗୋଲାପୀ ରଙ୍ଗର ଫୁସ୍‌ଫୁସ୍‌ ପାଲଟିଯାଇଛି ସମ୍ପୂର୍ଣ୍ଣ କଳା। ଚାଇନାର ଜିଆଙ୍ଗ୍‌-ସୁ ସହରସ୍ଥିତ ୟୁକ୍‌ସି ହସ୍ପିଟାଲ ପକ୍ଷରୁ ଧୂମପାନର କୁପରିଣାମ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ସମ୍ପୃକ୍ତ ଚେନ୍‌ ସ୍ମୋକରଙ୍କ ଫୁସ୍‌ଫୁସ୍‌ର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ଼ କରାଯାଇଛି। ଅଦ୍ୟାବଧି ପାଖାପାଖି ୨୫ ମିଲିୟନରୁ ଊର୍ଦ୍ଧ୍ୱ ଦର୍ଶକ ଏହାକୁ ଦେଖିସାରିଲେଣି।
ସୂଚନା ଅନୁଯାୟୀ, ଉକ୍ତ ଫୁସ୍‌ଫୁସ୍‌ଟି ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର। ସେ ଦୀର୍ଘ ୩୦ବର୍ଷ ଧରି ଲଗାତର ଧୂମପାନ କରିଚାଲିଥିଲେ। ଫୁସ୍‌ଫୁସ୍‌ରେ ଭୟଙ୍କର ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରୀଦଳ ଫୁସ୍‌ଫୁସ୍‌ର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ ଉକ୍ତ ଫୁସ୍‌ଫୁସ୍‌ର ଭିଡିଓକୁ ଧୂମପାନକାରୀଙ୍କ ଲାଗି ଚେତାବନୀ ସ୍ବରୂପ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଛି। ଏଥିରେ ଏକ କ୍ୟାପ୍‌ସନ ମଧ୍ୟ ଲେଖାଯାଇଛି ‘କ’ଣ ଆପଣମାନେ ଏବେ ବି ଧୂମପାନ କରିବାର ସାହସ ରଖନ୍ତି’ ? ଏହାକୁ ସୋସିଆଲ ମିଡିଆ ୟୁଜରମାନେ ‘ବେଷ୍ଟ ଆଣ୍ଟି ସ୍ମୋକିଂ ଆଡ୍‌ ଏଭର’ ବୋଲି କମେଣ୍ଟ ଦେଇଛନ୍ତି।

Share