Categories: ଖେଳ

ସିଙ୍ଗଲ୍ସ୍‌, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨୧-୧୮, ୧୫-୨୧, ୨୧-୧୬ ପଏଣ୍ଟରେ ପରାସ୍ତ କରିଛନ୍ତି। ଶନିବାର ସେ ଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ତଥା ତାଙ୍କ ଡବଲ୍ସ ପାର୍ଟନର ମନୋଜ ସରକାରଙ୍କୁ ଭେଟିବେ। ଡବଲ୍ସ ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ଥାଇଲାଣ୍ଡର ଚାଓ୍ବାର୍ଟ କିଟ୍‌ଚୋଓ୍ବାଟ୍‌ନା ଓ ସାଙ୍ଗନିଲ ସିଙ୍ଘା ଯୋଡ଼ିଙ୍କୁ ସିଧାସଳଖ ୨୧-୧୫, ୨୨-୨୦ ପଏଣ୍ଟରେ ହରାଇ ଦେଇଛନ୍ତି। ଭାରତୀୟ ଯୋଡ଼ି ଶନିବାର ଡବଲ୍ସ ଫାଇନାଲରେ ଥାଇଲାଣ୍ଡର ମଙ୍ଗ୍‌ଖୋନ୍‌ ବୁନ୍‌ସୁନ ଏବଂ ସିରିପଙ୍ଗ ଟିମାରୋମ୍‌ଙ୍କୁ ଭେଟିବେ। ପ୍ରକାଶ ଯୋଗ୍ୟ ଯେ, ୨୦୧୯ରେ ଏହାକୁ ମିଶାଇ ପ୍ରମୋଦ ଖେଳିଥିବା ୮ ଟୁର୍ନାମେଣ୍ଟରୁ ୭ଟିରେ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଡବଲ୍ସରେ ୮ ଟୁର୍ନାମେଣ୍ଟରୁ ଏହା ତାଙ୍କର ୬ଷ୍ଠ ଫାଇନାଲ ପ୍ରବେଶ।

Share