ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ର ବ୍ୟବହାରକୁ ପସନ୍ଦ କରିଥିଲେ। ତେବେ ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ ଥିଲା। ଏପ୍ରକାର ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟିତ ହୋଇ ପାରି ନ ଥାଏ। ଫଳରେ ଏହା ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପାଣି ବୋତଲ, ଜିନିଷପତ୍ର ଆଣିବାରେ ବ୍ୟବହାର କରୁଥିବା ପଲିଥିନ୍, ଷ୍ଟ୍ର, ଚା କପ୍, ଗ୍ଲାସ୍, ପ୍ଲେଟ୍, ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍। ଏହାକୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ। ପୃଥିବୀରେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ହୋଇଥାଏ। ଭାରତରେ ଏଭଳି କମ୍ପାନୀଗୁଡ଼ିକ ୪୦ ପ୍ରତିଶତରୁ ଅଧିକ ସିଙ୍ଗଲ୍ ୟୁଜଡ୍ ପ୍ଲାଷ୍ଟିକ୍ ବ୍ୟବହାର କରିଥାନ୍ତି। ତେବେ ଏହାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିବା ପରେ ଅନେକ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଏହାର ବ୍ୟବହାରକୁ କମ୍ କରିଛନ୍ତି।
ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆମେ ବାସ କରୁଥିବା ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ୟୁରୋପିଆନ୍ ସଂଘ ପକ୍ଷରୁ ୨୦୨୧ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଚାଇନାରେ ୨୦୨୫ ସୁଦ୍ଧା ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୃଥିବୀରେ ପ୍ରତିବର୍ଷ ୩ଶହ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ସେଥିମଧ୍ୟରୁ ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ୧୫୦ ନିୟୁତ ଟନ୍ ରହିଥାଏ। ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ମଧ୍ୟରୁ ପ୍ରାୟ ୧୦ରୁ ୧୩ ପ୍ରତିଶତ ପ୍ଲାଷ୍ଟିକ୍ ମାଟିରେ ବିଘଟନ ହେଉଥିବାବେଳେ ଅବଶିଷ୍ଟ ପ୍ଲାଷ୍ଟିକ୍ ପରିବେଶ ପ୍ରଦୂଷଣ କରିଥାଏ। କେତେକ ଏହାକୁ ଜଳାଇ ଥାନ୍ତି। ଏଥିରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରେ ବ୍ୟାପିଯାଇଥାଏ। ଏଭଳି ବାୟୁକୁ ନିଶ୍ୱାସରେ ନେବା ଯୋଗୁ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଏହା ମୃତ୍ତିକାକୁ ମଧ୍ୟ ପ୍ରଦୂଷିତ କରିଥାଏ।
ପୃଥିବୀ ଧ୍ୱଂସମୁଖ ଆଡ଼କୁ ଅଗ୍ରସର ହେଉଥିବାବେଳେ କେବଳ ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। କୌଣସି ଦେଶର ସରକାରଙ୍କ ତୁଳନାରେ ଏଥିରୁ ମୁକ୍ତି ପାଇବା ଲାଗି ସାଧାରଣ ଜନତାଙ୍କ ମଧ୍ୟରେ ଆମେ କିଭଳି ଆମ ପୃଥିବୀ ମା’କୁ ସୁରକ୍ଷିତ ରଖିବା, ସେଭଳି ଭାବନା ଜାଗ୍ରତ ହେଲେ ଏଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ।