ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି

ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ ଖୁସି ଖବର ଆସିଛି। ଏଠାରେ କିଛି ବୈଜ୍ଞାନିକ ଲାବୋରେଟୋରିରେ ୫ ପ୍ରକାର ଆଣ୍ଟିବଡ଼ି ବିକଶିତ କରିଛନ୍ତି। ସ୍ଥାନୀୟ ପ୍ରତିରକ୍ଷା ବିଜ୍ଞାନ ସଂସ୍ଥାନ ଜାତୀୟ ଲାବୋରେଟୋରିରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏସବୁ ଆଣ୍ଟିବଡ଼ି କରୋନା ଭୂତାଣୁର ମ୍ୟୁଟେଶନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ଆଣ୍ଟିବଡ଼ି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ଗବେଷକ ଡ. କୋର୍ନାଡ ଚାନ୍‌ ସୂଚନା ଦେଇଛନ୍ତି। ଏହାର ପ୍ରୟୋଗ ଦ୍ୱାରା ସୁସ୍ଥ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସୁଦୃଢ଼ ହୋଇପାରିବ। କରୋନା ମହାମାରୀରୁ ଏସବୁ ଆଣ୍ଟିବଡ଼ି ଦୂରେଇ ରଖିପାରିବ ବୋଲି ପ୍ରତିରକ୍ଷା ବିଜ୍ଞାନ ସଂସ୍ଥାନର ସିଇଓ ଚିଓଙ୍ଗ୍‌ ଚେ ହୁ କହିଛନ୍ତି। ମାନବ ସମାଜ ଏହା ଦ୍ୱାରା ବେଶ୍‌ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି।