ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନ୍‌

ଚିଙ୍ଗୁଡ଼ି ଭିତରେ ରାଜା ଟାଇଗର ପ୍ରନ୍‌। ଚିଙ୍ଗୁଡ଼ି ଖାଉଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ। ଝୋଳ କରିବାଠୁ ନେଇ ଭାଜି ଖାଇବାର ସ୍ବାଦ ନିଆରା। ଟାଇଗର ପ୍ରନକୁ ନେଇ ଏବେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ହେଉଛି। କୌଣସି ଗୋଟିଏ ଦେଶର ଖାଦ୍ୟ ତାଲିକାରେ ସୀମିତ ନ ରହି ମଲ୍ଟି କୁଜିନ କିଚେନ ଭିତରେ ଏହା କେବେଠୁ ପ୍ରବେଶ କରିସାରିଛି। ଭୁବନେଶ୍ୱର ସ୍ଥିତ ହୋଟେଲ ଫର୍ଚୁନ୍‌ରେ କାର୍ଯ୍ୟରତ ଶେଫ୍‌ କୃଷ୍ଣଚନ୍ଦ୍ର ବିଶ୍ୱାଳ କୁହନ୍ତି,ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନର ନଁା ବିଦେଶୀ ଲାଗୁଥିଲେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରାଯାଇପାରିବ।

ଆବଶ୍ୟକ ସାମଗ୍ରୀ:

ଟାଇଗର ପ୍ରନ୍‌ ୬ପିସ୍‌, କର୍ନଫ୍ଲୋର ୭୦ ଗ୍ରାମ୍‌, ମଇଦା ୪୦ ଗ୍ରାମ୍‌, ଅଣ୍ଡା ୧ଟା, ବ୍ଲାକ୍‌ ପିପର ସସ୍‌ ୨୦ ଗ୍ରାମ୍‌ (ଅଲଗା ପ୍ରସ୍ତୁତ ହେବ), ଓଏଷ୍ଟର ସସ ୧୦ ଗ୍ରାମ୍‌, ଶୁଖିଲା ଲଙ୍କା ପେଷ୍ଟ ୧୦ ଗ୍ରାମ୍‌, ଲାଇଟ୍‌ ସୋୟା ସସ୍‌ ୧୦ ଗ୍ରାମ୍‌, ଲୁଣ(ସ୍ବାଦ ଅନୁସାରେ), ଗୋଲମରିଚ ଗୁଣ୍ଡ ୫ ଗ୍ରାମ୍‌, ରିଫାଇନ ତେଲ ୧ଲିଟର ନାଲି ହଳଦୀ କ୍ୟାପ୍ସିକମ(୧+୧), ଏକ ଚାମଚ ଚିନି।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପ୍ରନ୍‌ଗୁଡିକୁ ପେଟ ପାଖରୁ ଅଧା ଚିରନ୍ତୁ। ଅଣ୍ଡାର ଧଳା ଅଂଶକୁ ଚିଙ୍ଗୁଡିରେ ମିଶାଇ ସେଥିରେ ଲୁଣ ପକାନ୍ତୁ। ପୁନଶ୍ଚ ଏଥିରେ ମଇଦା ଏବଂ କର୍ନଫ୍ଲୋର ମିଶାଇ ଗୋଳାନ୍ତୁ। କଡ଼େଇରେ ୧ ଲିଟର ତେଲ ଗରମ କରିବା ପରେ ଗୋଳା ହୋଇଥିବା ଚିଙ୍ଗୁଡିକୁ ସେଥିରେ ଗୋଟି ଗୋଟି କରି ଛାଣନ୍ତୁ। ଆଉ ଗୋଟେ କଡ଼େଇରେ ସସ୍‌ ପ୍ରସ୍ତୁତ କରନ୍ତୁ। କଡ଼େଇରେ ତେଲ ୧୦ ଗ୍ରାମ୍‌ ଗରମ କରି, ରସୁଣ ଚପ୍‌, ଅଦା ଚପ୍‌ ୫ଗ୍ରାମ୍‌, ପିଆଜ ଚପ୍‌ ୫ ଗ୍ରାମ୍‌ ଭାଜନ୍ତୁ। ଶୁଖିଲା ଲଙ୍କା ପେଷ୍ଟ୍‌ ୫ ଗ୍ରାମ୍‌, ଓଏଷ୍ଟର ସସ୍‌, ବ୍ଲାକ୍‌ ପିପର ସସ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ଚିନି(ସ୍ବାଦ ଅନୁସାରେ) ମିଶାନ୍ତୁ। ପରେ ଛଣା ହୋଇଥିବା ଚିଙ୍ଗୁଡ଼ି ଏହି ସସ୍‌ରେ ମିଶାନ୍ତୁ। ପରେ ହଳଦୀ ଓ ନାଲି କ୍ୟାପ୍‌ସିକମ୍‌ ଚପ୍‌ କରି ସେଥିରେ ଧନିଆ ପତ୍ର ପକାଇ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସିଙ୍ଗାପୁର ବ୍ଲାକ୍‌ ପିପର ପ୍ରନ୍‌।