Categories: ଜାତୀୟ

ସିଜେଆଇ ଅଫିସକୁ ଆର୍‌ଟିଆଇ ଅଧୀନକୁ ଅଣାଯିବା ପ୍ରସଙ୍ଗ: ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ, ୧୩ା୧୧ (ଆଇଏଏନ୍‌ଏସ୍‌): ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପରିସରକୁ ଅଣାଯିବ କି ନାହିଁ ସେନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଆବେଦନଗୁଡ଼ିକର ରାୟ ସୁପ୍ରିମକୋର୍ଟରେ ବୁଧବାର ପ୍ରକାଶ ପାଇବ। ସିଜେଆଇଙ୍କ କ୍ଷେତ୍ରରେ ଆର୍‌ଟିଆଇ ଆଇନ ପ୍ରଯୁଜ୍ୟ ବୋଲି ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ। ନ୍ୟାୟିକ ସ୍ବାଧୀନତା ଜଣେ ବିଚାରପତିଙ୍କ ବିଶେଷାଧିକାର ନୁହେଁ, ବରଂ ତାଙ୍କ ଉପରେ ନ୍ୟସ୍ତ ଉତ୍ତରଦାୟିତ୍ୱ ବୋଲି ହାଇକୋର୍ଟ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ୪ଟି ପିଟିଶନ ଦାଏର ହୋଇଥିଲା। ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏପ୍ରିଲ ୪ରେ ଶୁଣାଣି ଶେଷ କରି ଏହାର ରାୟ ସଂରକ୍ଷିତ ରଖିଥିଲେ। ଉକ୍ତ ପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍‌ ଏନ୍‌.ଭି. ରମନ୍ନା, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା। ଏ ସମ୍ପର୍କିତ ରାୟ ପ୍ରକାଶ ନେଇ ମଙ୍ଗଳବାର ଅପରାହ୍ନରେ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ସାର୍ବଜନୀନ କରାଯାଇଛି।

Share