Categories: ଜାତୀୟ

ସିଜେଆଇ ପଦରୁ ଅବସର ନେଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଉତ୍ତରପୂର୍ବାଞ୍ଚଳରୁ ପ୍ରଥମ ବ୍ୟକ୍ତି ଭାବେ ସେ ସର୍ବୋଚ୍ଚ ଅଦାଲତର ଶୀର୍ଷ ପଦବୀ ମଣ୍ଡନ କରିଥିଲେ। ସିଜେଆଇ ଭାବେ କାର୍ଯ୍ୟକାଳର ଶେଷ ପର୍ଯ୍ୟାୟରେ ଗତ ୯ ତାରିଖରେ ସେ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଯୋଧ୍ୟା ଜମି ବିବାଦ ମାମଲାରେ ରାୟ ପ୍ରଦାନ କରି ଦୀର୍ଘ ଦଶନ୍ଧିରୁ ଚାଲିଆସିଥିବା ଏହି ବିବାଦର ପରିସମାପ୍ତି ଘଟାଇଥିଲେ, ଯେଉଁଥିପାଇଁ ତାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇରହିବ। ଏଥିସହିତ ଶେଷ ସପ୍ତାହରେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାମରିମାଲା ମାମଲା, ରାଫାଲ ଯୁଦ୍ଧବିମାନ ଆଦି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଥିଲେ। ସାବରିମାଲା ରାୟ ଉପରେ ରିଭ୍ୟୁ ପିଟିଶନ୍‌କୁ ୭ ଜଣିଆ ପୀଠକୁ ଅନୁଧ୍ୟାନ ପାଇଁ ପଠାଇଥିଲାବେଳେ ରାଫାଲ ରିଭ୍ୟୁ ପିଟିଶନକୁ ସିଜେଆଇଙ୍କ ଖଣ୍ଡପୀଠ ଖାରଜ କରିଦେବା ସହ ନରେନ୍ଦ୍ର ମୋଦି ସରକାରଙ୍କୁ ଦ୍ୱିତୀୟ ଥର କ୍ଲିନ୍‌ଚିଟ୍‌ ଦେଇଥିଲେ। ସେହିପରି ସିଜେଆଇଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ବୋଲି ଜଷ୍ଟିସ ଗୋଗୋଇଙ୍କ ଖଣ୍ଡପୀଠ ରାୟ ଦେଇଥିଲେ। ଜଷ୍ଟିସ୍‌ ଗୋଗୋଇଙ୍କର କାର୍ଯ୍ୟକାଳ ବିବାଦମୁକ୍ତ ନ ଥିଲା। ଜଣେ ପୂର୍ବତନ ମହିଳା କର୍ମଚାରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗତବର୍ଷ ଜାନୁୟାରୀରେ ତତ୍କାଳୀନ ସିଜେଆଇ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କାର୍ଯ୍ୟକୁ ବିରୋଧ କରି ଜଷ୍ଟିସ୍‌ ଗୋଗୋଇଙ୍କ ସମେତ ୪ ଜଣ ବରିଷ୍ଠ ବିଚାରପତି ଖବରଦାତା ସମ୍ମିଳନୀ ଡାକିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ଥିଲା ପ୍ରଥମ ଘଟଣା।

Share