ସିଟି ହସ୍ପିଟାଲରେ କୋଭିଡ୍‌ ହେଲଥ ସେଣ୍ଟରକୁ ବିରୋଧ

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସିଟି ହସ୍ପିିଟାଲରେ ଖୋଲା ଯାଇଥିବା ଡେଡିକେଟେଡ୍‌ କୋଭିଡ୍‌ ହେଲଥ ସେଣ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ସେଣ୍ଟରରେ କରୋନା ସଂକ୍ରମିତଙ୍କୁ ରଖାଯାଉଥିବା ବେଳେ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ ଯିବାକୁ ନେଇ ଡାକ୍ତରମାନେ ଅଭିଯୋଗ କରିଥିଲେ। ଏହାପରେ ରବିବାର ସ୍ଥାନୀୟ ଅଞ୍ଚଳବାସୀ ଏହି ସେଣ୍ଟରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଏନେଇ ଅପରାହ୍ନରେ ସିଟି ହସ୍ପିଟାଲକୁ ଲାଗିଥିବା ବଗୁଲିସାହି ଲୋକ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍‌ପିଏଚଓ) ଡା. ଉମାଶଙ୍କର ମିଶ୍ରଙ୍କୁ ସାକ୍ଷାତ୍‌ କରି ସେଣ୍ଟରକୁ ଜନଗହଳିଠାରୁ ଦୂରକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ସିଟି ହସ୍ପିଟାଲକୁ ଲାଗି ରହିଥିବା ବଗୁଲିସାହିରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଏଭଳି ସ୍ଥିିତିରେ ସିଟି ହସ୍ପିଟାଲରେ ଏହି ସେଣ୍ଟର ସ୍ଥାପନ ହେଲେ ସ୍ଥାନୀୟ ଲୋକ ଭୟ କରୁଛନ୍ତି ା ଅନ୍ୟପକ୍ଷରେ ସେଣ୍ଟରରେ କରୋନା ସଂକ୍ରମିତଙ୍କୁ ରଖାଯାଉଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଅଞ୍ଚଳବାସୀ ତଥା ସହରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେଣ୍ଟରକୁ ସହର ବାହାରକୁ ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀ ସିଡିଏମ୍‌ପିଏଚଓଙ୍କୁ ନିବେଦନ କରିଥିଲେ। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବାନୀ ଶୁଣାଇଥିଲେ। ଏନେଇ ଜିଲାପାଳଙ୍କୁ ଅବଗତ କରିବାକୁ ସିଡିଏମ୍‌ପିଏଚଓ ଡା. ମିଶ୍ର କହିଛନ୍ତି।