ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ

କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସତ୍ୟବ୍ରତ ଛୋଟରାୟ କହିଛନ୍ତି। ଏବେ ଏହି ସମସ୍ତ କର୍ମଚାରୀ ଆଇସୋଲେଶନରେ ଅଛନ୍ତି। ଆଉ ପାଞ୍ଚ ଦିନ ପରେ ଏମାନଙ୍କ ସ୍ବାବ୍‌ ନମୁନା ପୁଣି ପରୀକ୍ଷା କରାଯିବ। ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଲେ ଯାଇ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁମତି ଦିଆଯିବ। ବୁଧବାର ହସ୍ପିଟାଲରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଓ ଶେଷ ହେବା ପରେ ଦୁଇଥର ବିଶୋଧନ କରାଯାଇଥିଲା। ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରାଯାଇଥିଲା। ଆଗରୁ ଏଠାକୁ ଦୈନିକ ୮ଶହରୁ ଅଧିକ ରୋଗୀ ଆସୁଥିଲେ। ଲକ୍‌ଡାଉନ ସମୟରେ ଏହି ସଂଖ୍ୟା ୫ଶହକୁ ଖସି ଆସିଥିଲା। ଏବେ କରୋନା ପଜିଟିଭ ବାହାରିବା ପରଠାରୁ ରୋଗୀ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇଛି।

Share