ନୂଆଦିଲ୍ଲୀ,୨୪ା୬: ଏୟାର ଇଣ୍ଡିଆର ଜଣେ ସିନିୟର କମାଣ୍ଡର ତଥା ଆଞ୍ଚଳିକ ଡାଇରେକ୍ଟର ରୋହିତ ଭାସିନ୍ଙ୍କୁ ସିଡନୀ ଏୟାରପୋର୍ଟରେ ଏକ ଡ୍ୟୁଟି ଫ୍ରି ଦୋକାନରୁ ସାମଗ୍ରୀ ଚୋରି କରିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି। କମ୍ପାନୀ ଡାଇରେକ୍ଟର(ପର୍ସୋନେଲ) ଅମୃତା ଶରଣ ଏହି ସସ୍ପେଣ୍ଡ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶନିବାର ରାତିରେ ସସ୍ପେଣ୍ଡ ହୋଇଥିବା କମାଣ୍ଡର ଜଣକ ଦିଲ୍ଲୀ ଉଦ୍ଦେଶ୍ୟରେ ଫ୍ଲାଇଟ୍ ଉଡ଼ାଇବାକୁ ଯିବା ପୂର୍ବରୁ ସେ ଜେଜେବାପା ହୋଇଛନ୍ତି ବୋଲି ଖବର ପାଇବା ମାତ୍ରେ ବିମାନ ବନ୍ଦରସ୍ଥିତ ଏକ ଡ୍ୟୁଟି ଫ୍ରି ଦୋକାନକୁ ଯାଇ ଏକ ସାମଗ୍ରୀ କିଣିଥିଲେ। ତେବେ ସେ ଏଥିପାଇଁ ଅର୍ଥ ପୈଠ କରିବାକୁ ଭୁଲି ଯାଇଥିଲେ। ରବିବାର ସକାଳେ ସେ ଦିଲ୍ଲୀରେ ପହଞ୍ଚତ୍ବା କ୍ଷଣି ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା। ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶରନ ତାଙ୍କ ସସ୍ପେଣ୍ଡ ଅର୍ଡରରେ ଲେଖିଛନ୍ତି ଯେ, ଶନିବାର ରାତିରେ ବିମାନ ଛାଡ଼ିବା ପୂର୍ବରୁ ସିନିୟର କମାଣ୍ଡର ଏକ ଶୁଳ୍କମୁକ୍ତ ଦୋକାନରୁ ସାମଗ୍ରୀ ଚୋରି କରିଛନ୍ତି ବୋଲି ସିଡନୀସ୍ଥିତ ଆଞ୍ଚଳିକ ମ୍ୟାନେଜରଙ୍କଠାରୁ ସୂଚନା ମିଳିଥିଲା।