ଅନୁଗୋଳ ଅଫିସ, ୧୨।୮: ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ପୋଲିସ ଶନିବାର ତାଙ୍କ ବାପାଙ୍କ ଜିମା ଦେବାପରେ ପୀଡିତାଙ୍କ ସୁରକ୍ଷାକୁ ନେଇ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ପ୍ରଶ୍ନ ଉଠାଇଥିଲା। ଏଥିସହ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇବାକୁ ପୋଲିସକୁ ଚିଠି (ନଂ. ୪୨୬/୧୯) କରିଥିଲା। ହେଲେ ରବିବାର ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ସମିତି ନିକଟରେ ହାଜର କରାଇ ନ ଥିବା ଜଣାପଡିଛି। ଅନୁଗୋଳ ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଉଲ୍ଲଂଘନ କରୁଥିବା ସମିତି ପକ୍ଷରୁ ଅଭିଯୋଗ କରାଯିବା ସହ ଏ ସଂକ୍ରାନ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବଙ୍କୁ ମଙ୍ଗଳବାର ଚିଠି ମାଧ୍ୟମରେ ଅବଗତ କରାଯିବ ବୋଲି ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସମିତି ପକ୍ଷରୁ କୁହାଯାଇଛି, ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର ବେଳେ କିଛି ନିୟମ ରହିଛି। ଏହି ନିୟମ ପୂରଣ କରିବା ପରେ ଶିଶୁଙ୍କୁ ପରିବାର ଲୋକ ନେଇ ପାରିବେ। କିନ୍ତୁ ଅନୁଗୋଳରେ ତାହା ହୋଇନାହିଁ। ନାବାଳିକା ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ନାବାଳିକାଙ୍କ ପିତା ପ୍ରଥମେ ସିଡବ୍ଲ୍ୟୁସିରେ ଚିହ୍ନଟ ହେବା ଆବଶ୍ୟକ। ପରେ ସମିତିର ମୁଖ୍ୟ କେତୋଟି ନିୟମ ବିଷୟରେ ତାଙ୍କୁ ଅବଗତ କରାଇଥାନ୍ତେ। ସେମାନେ ନାବାଳିକାଙ୍କ ବାଲ୍ୟ ବିବାହ କରାଇ ପାରିବେ ନାହିଁ, ଶିକ୍ଷିତ କରାଇବା ପାଇଁ ଉଦ୍ୟମ କରିବା ସହ ସେ ଯେପରି ନିର୍ଯାତନାର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଆଦି ବିଷୟରେ ଉପରେ ସିଡବ୍ଲ୍ୟୁସି ତାଙ୍କୁ ଜଣାଇଥାନ୍ତା। ଏଥିସହ ସହରରୁ ଅନ୍ୟତ୍ର ସ୍ଥାନକୁ ଗଲେ ସିଡବ୍ଲ୍ୟୁସିକୁ ଅବଗତ କରାଇବାର ମଧ୍ୟ ନିୟମ ରହିଛି। ହେଲେ ପୋଲିସ ମନମୁଖି କାମ କରି ନାବାଳିକାଙ୍କ ପିତାଙ୍କୁ ସମିତିରେ ହାଜର ନ କରାଇ ହସ୍ତାନ୍ତର କରିଦେଇଥିବା ପଟ୍ଟନାୟକ କହିଛନ୍ତି। ଏ ସଂକ୍ରାନ୍ତରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ପଚାରିବାରେ ଏ ନେଇ କିଛି କହିହେବ ନାହିଁ ବୋଲି ପ୍ରକାଶ କରିଥିଲେ।