Categories: ଜାତୀୟ

ସିଡବ୍ଲ୍ୟୁସି ବୈଠକରେ ମୋଦି, ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ: ଏନ୍‌ପିଆର୍‌ ଏକ ଛଦ୍ମବେଶୀ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୨ା୧(ପି.ଟି.): ଲୋକଙ୍କୁ ଧର୍ମ ଆଧାରରେ ବିଭାଜନ ପାଇଁ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ କେନ୍ଦ୍ର ସରକାର ବନ୍ଦ କରନ୍ତୁ ବୋଲି ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଦାବି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକରେ ଅଧ୍ୟକ୍ଷତା କରି ସିଏଏକୁ ଏକ ଭେଦଭାବପୂର୍ଣ୍ଣ ତଥା ବିଭାଜନକାରୀ ଆଇନ ଭାବେ ଅଭିହତ କରିଛନ୍ତି। ଏହାସହ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ପାଇଁ ଏନ୍‌ପିଆର ଏକ ଛଦ୍ମରୂପ ବୋଲି ସମାଲୋଚନା କରିଛନ୍ତି।
ସିଡବ୍ଲ୍ୟୁସି ବୈଠକରେ ସମ୍ବୋଧିତ କରି ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନାଗରିକତ୍ୱ ଆଇନ ଏବଂ ଏହି ପ୍ରସଙ୍ଗରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଥିବା ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସିଏଏ ବିରୋଧୀ ବିକ୍ଷୋଭ ବେଳେ ଘଟିଥିବା ହିଂସାର ତଦନ୍ତ ପାଇଁ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଶନ ଗଠନ କରାଯାଉ। କାରଣ ଏହି ଆଇନକୁ ନେଇ କେତେକ ରାଜ୍ୟରେ ସ୍ଥିତି ସଙ୍ଗିନ ରହିଛି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ଏଥିଯୋଗୁ ପୋଲିସ ଷ୍ଟେଟ୍‌ରେ ପରିଣତ ହୋଇଛି। ବିଶେଷକରି ଦିଲ୍ଲୀ ୟୁନିଭର୍ସିଟି, ଜେଏନ୍‌ୟୁ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ୟୁନିଭର୍ସିଟି ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସିଏଏ ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଛି। ଏହାକୁ ଚପାଇଦେବା ପାଇଁ ମୋଦି ସରକାର ବଳ ପ୍ରୟୋଗ କରୁଛନ୍ତି। କେନ୍ଦ୍ର ସରକାର ପ୍ରଥମେ ଏନ୍‌ଆର୍‌ସିକୁ ଦେଶବ୍ୟାପୀ ଲାଗୁ କରାଇବା ପାଇଁ ଚିନ୍ତା କରୁଥିଲେ। କିନ୍ତୁ ଆସାମରେ ଏହାର ଭୟାବହ ପରିଣାମକୁ ଦେଖି ଏନ୍‌ପିଆର୍‌ ପରିକଳ୍ପନାକୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ବାସ୍ତବରେ ଏନ୍‌ପିଆର ୨୦୨୦ ଏକ ଛଦ୍ମବେଶୀ ଏନ୍‌ଆର୍‌ସି। ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି। ସିଡବ୍ଲ୍ୟସି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ପି. ଚିଦାମ୍ବରମ, ଆନନ୍ଦ ଶର୍ମାଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Share