Categories: ଖେଳ

ସିଡ୍‌ଲଙ୍କ ଅବସର

ମେଲବୋର୍ନ,୨୯।୧୨- ଭେଟେରାନ ଅଷ୍ଟ୍ରେଲିଆନ ପେସର ପିଟର ସିଡ୍‌ଲ ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୧ ବର୍ଷର କ୍ୟାରିୟରର ଶେଷ ହୋଇଛି। ସେ ୬୭ ଟେଷ୍ଟ ଖେଳି ୩୦.୬୬ ହାରରେ ୨୨୧ ଉଇକେଟ ହାତେଇଛନ୍ତି। ଅନ୍ତିମ ଥର ଅଷ୍ଟ୍ରେଲିଆ ପାଇଁ ଆଶେସ ସିରିଜ୍‌ର ୫ମ ଟେଷ୍ଟ ଖେଳିଥିଲେ। ଏ ସମ୍ପର୍କରେ ଆଶେସ ସିରିଜ୍‌ବେଳେ ଆଲୋଚନା କରିଥିଲି। ଇଂଲଣ୍ଡରେ ଅବସର ଘୋଷଣା କରିବାର ସମ୍ଭାବନା ଥିଲା। କିନ୍ତୁ ଘରେ, ପରିବାର ଓ ବନ୍ଧୁଙ୍କ ଆଗରେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ସିଡ୍‌ଲ କହିଛନ୍ତି। ସର୍ବାଧିକ ଟେଷ୍ଟ ଉଇକେଟ ହାତେଇଥିବା ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ସେ ୧୩ତମ ସ୍ଥାନରେ ରହିଛନ୍ତି। ୨୦୧୦ ଇଂଲଣ୍ଡ ବିପକ୍ଷରେ ନିଜ ଜନ୍ମଦିନରେ ସେ ହ୍ୟାଟ୍ରିକ ନେଇଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ଘଟଣା। ସେ ୨୦୦୮ ଅକ୍ଟୋବରରେ ମୋହାଲିଠାରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଟେଷ୍ଟ କ୍ୟାରିୟରରେ ୮ ଥର ୫ ଉଇକେଟ ସଫଳତା ପାଇଥିଲେ। ୫୪ ରନ୍‌ ଦେଇ ୬ ଉଇକେଟ ଅକ୍ତିଆର କରିବା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ପେଲ ଥିଲା। ଆହତ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ୨୦୧୮ ପାକିସ୍ତାନ ବିପକ୍ଷ ଦୁଇ ଟେଷ୍ଟରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ଟେଷ୍ଟ ବ୍ୟତୀତ ୨୦ ଦିନିକିଆ ଓ ଦୁଇଟି ଟି୨୦ରେ ମୋଟ ୩୪ ଉଇକେଟ ହାତେଇଥିଲେ।

Share