ସିଦ୍ଧାର୍ଥଙ୍କ ଉପରେ ରାଗିଗଲେ ହିମାଂଶି: କହିଲେ ‘ମହିଳାଙ୍କ ସହ କିଭଳି କଥା ହେବେ ଶିଖନ୍ତୁ’

ବମ୍ବେ: ବିଗ୍‌ବସ୍‌ ସରିବା ପରେ ମଧ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମୁନାହିଁ। ଏପରିକି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଜଣେ ଅନ୍ୟଜଣଙ୍କୁ କଡ଼ା ମନ୍ତବ୍ୟ ଦେଉଛନ୍ତି। ସେଭଳି କିଛି ଘଟଣାକ୍ରମରେ ଶୋ’ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଉପରେ ହିମାଂଶି ଖୁରାନ୍ନା ରାଗି ଯାଇଛନ୍ତି।

ଶୋ’ରେ ପ୍ରତିଯୋଗୀଭାବେ ଭାଗ ନେଇଥିଲେ ହିମାଂଶି। ସେତେବେଳେ ତାଙ୍କର ନିର୍ବନ୍ଧ ସରିଥିଲା। ହେଲେ ଅନ୍ୟତମ ପ୍ରତିଯୋଗୀ ଆସିମ ରିଆଜ ତାଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ। ସେ ହିମାଂଶିଙ୍କୁ ଏକାଧିକ ଥର ନିଜର ମନକଥା କହିଥିଲେ। ପରବର୍ତ୍ତୀ ସମୟରେ ହିମାଂଶି ଶୋ’ରୁ ବାହାରିଥିଲେ। ବାହାରକୁ ଆସିବା ପରେ ହିମାଂଶିଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହା ଜାଣିବା ପରେ ଆସିମ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ହିମାଂଶି ହଁ ଭରିଥିଲେ। ଏହି ଘଟଣାକୁ ନେଇ ସିଦ୍ଧାର୍ଥ ହିମାଂଶିଙ୍କୁ କଟୁ ମନ୍ତବ୍ୟ ଦେଇଥିଲେ।

ସିଦ୍ଧାର୍ଥଙ୍କୁ ହିମାଂଶି କହିଛନ୍ତି, ମହିଳାମାନଙ୍କ ବିଷୟରେ ଟିପ୍ପଣୀ କରିବା ଆଗରୁ ସେମାନଙ୍କ ସହ କିଭଳି କଥା ହେବା କଥା ତାହା ଶିଖନ୍ତୁ। ମହିଳାଙ୍କୁ ସମ୍ମାନ ଦିଅନ୍ତୁ। ମୁଁ ଜାଣେ ନିର୍ବନ୍ଧ ଭାଙ୍ଗିବା ପରେ ମୁଁ କେତେ ଏକୁଟିଆ ହୋଇ ଯାଇଥିଲି। ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଏକ ସମୟରେ ମୁଁ କାମ, ବ୍ୟକ୍ତିଗତ ଜୀବନ, ବିଗ୍‌ବସ୍‌, ଆସିମ ରିଆଜ ଏବଂ ଟ୍ରୋଲିଂ ସହୁଥିଲି। ଯଦି ସିଦ୍ଧାର୍ଥ ନିଜକୁ ଲଜିକାଲ୍‌ ମଣିଷ ଭାବୁଛନ୍ତି ତେବେ ତାହା ଭୁଲ। ସେ ନିଜ ଉପରେ କାମ କରନ୍ତୁ ବୋଲି ହିମାଂଶି କହିଛନ୍ତି।

Share