ସିଧାସଳଖ ଅନ୍‌ଲାଇନରେ ପଞ୍ଜୀକୃତ କରିପାରିବେ ଚାଷୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସିଙ୍କ ବିନା ସହାୟତାରେ ଚାଷୀମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ପିଏମ-କିଷାନ ନିଧି ଯୋଜନାରେ ନିଜକୁ ସାମିଲ କରି ପାରିବେ। ପିଏମ କିଷାନ ନିଧି ଓ୍ବେବ ପୋର୍ଟାଲ http:/www.pmkishan.gov.in ଜରିଆରେ ଚାଷୀମାନେ ସହାୟତା ରାଶି ପାଇବା ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ। ପିଏମ-କିଷାନ ଯୋଜନାକୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟକାରୀ କରି ନ ଥିବାବେଳେ ଓଡ଼ିଶା ସରକାର ଚାଷୀଙ୍କ ତାଲିକା ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚାଷୀମାନଙ୍କୁ ଏଭଳି ସୁବିଧା ଦେଇଛନ୍ତି। ଯୋଜନାକୁ ନେଇ କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏହାର ଚକ୍ରବୂ୍ୟହରେ ଚାଷୀମାନେ ଫସି ଯାଇଛନ୍ତି। ଯୋଜନାର ଫାଇଦା ସବୁ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। କେନ୍ଦ୍ର ସରକାର କିଷାନ ନିଧି ଯୋଜନାର ପୋର୍ଟାଲ ଜରିଆରେ ଚାଷୀ ନିଜକୁ ଅନଲାଇନ ପଞ୍ଜୀକୃତ କରିପାରିବେ। ତେବେ ପଞ୍ଜୀକରଣ ବେଳେ ଚାଷୀମାନେ ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ ଚାଷ ଜମିର ପଟ୍ଟା ଆଦିକୁ ଦେଇ ନାମ ପଞ୍ଜୀକରଣ କରିପାରିବେ। ନାମ ପଞ୍ଜୀକୃତ ହେବା ପରେ କେନ୍ଦ୍ର ସରକାର ସେଗୁଡିକୁ ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ତୁରନ୍ତ ବୈଧ ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ସମସ୍ତ ଅର୍ଥ ତୁରନ୍ତ ପଠାଇ ଦିଆଯିବ। ନାମ ପଞ୍ଜୀକୃତ ହେବା ପରେ ରାଜ୍ୟ ସରକାର ସେହି ତାଲିକାକୁ ଯାଞ୍ଚ କରିବେ। ଏହା ପରେ କୃଷକଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି। ଚାଷୀମାନେ ନିଜର ଆକାଉଣ୍ଟକୁ ସହାୟତା ରାଶି ଆସିଛି କି ନାହିଁ ତାହା ମଧ୍ୟ ଉକ୍ତ ପୋର୍ଟାଲରୁ ଜାଣିପାରିବେ।
ମିଳିଥିବା ସୂଚନା ଅନୁଯାୟୀ ପିଏମ କିଷାନ ଯୋଜନାରେ ୩୦ ଲକ୍ଷ ୯୧ ହଜାର ୭୮୩ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ୨୪ ଜଣ ଏହି ଯୋଜନାରେ ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପାଇଛନ୍ତି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେବଳ ୯ ଲକ୍ଷ ୩୪ ହଜାର ୭୯୭ ଚାଷୀଙ୍କୁ ଦ୍ୱିତୀୟ କିସ୍ତି ମିଳିଛି। ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ସହାୟତା ୩ଟି କିସ୍ତିରେ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେଥିରୁ ଏପ୍ରିଲ ଓ ଜୁଲାଇ ମାସ ମଧ୍ୟରେ ପ୍ରଥମ କିସ୍ତି, ଅଗଷ୍ଟରୁ ନଭେମ୍ବର ଦ୍ୱିତୀୟ ଏବଂ ଡିସେମ୍ବରରୁ ମାର୍ଚ୍ଚ ତୃତୀୟ କିସ୍ତି ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି।

Share