ସିନେମା ହଲ୍‌, ଜିମ୍‌ରେ କରୋନା ପ୍ରଭାବ

କଟକ ଅଫିସ,୧୪।୩: କରୋନା ଭୂତାଣୁ ସଂକ୍ରମଣର ଭୟ ଏବେ ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସମାଗମକୁ ଏଡାଇବା ଏହି ପଦକ୍ଷେପର ମୂଳଲକ୍ଷ୍ୟ। ଇତିମଧ୍ୟରେ ସମସ୍ତ ସିନେମା ହଲ, ଜିମ୍‌ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଶୁକ୍ରବାର କଟକ ସହରର ସମସ୍ତ ସିନେମା ହଲ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି। ଏବେ ଚଳଚ୍ଚିତ୍ର ବାଗୀ-୩, ଲଭ୍‌ ଆଜ୍‌ କାଲ୍‌, ଭୂତ୍‌, ଥାପଡ଼, ଓଡ଼ିଆ ଫିଲ୍ମ ପରଦେଶୀ ଚଢେଇ କଟକର ସିନେମା ହଲରେ ପ୍ରଦର୍ଶନ ଜାରି ରହିଛି। ତେବେ ହଲଗୁଡ଼ିକ ଉପରେ କଟକଣା ଲାଗିବା ପରେ ମନୋରଞ୍ଜନ ଜଗତ ଉପରେ ବଡ଼ଧରଣର ପ୍ରଭାବ ପଡ଼ିବା ଭଳି ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଜିମ୍‌ଗୁଡ଼ିକ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତିରେ ଉଲ୍ଲେଖ କରାଯାଇଛି। ସହରରେ ୬ଟି ମଲ୍ଟି ଜିମ୍‌ ଓ ୧୦ରୁ ଅଧିକ ସାଧାରଣ ଜିମ୍‌ ରହିଛି। ଜିମ୍‌ ବ୍ୟବସାୟ ମଧ୍ୟ ଏବେ ମାନ୍ଦା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ କଟକ ଜିଲାରେ ଏହାର ମୁକାବିଲା ପାଇଁ ଜିଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଛି ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସତର୍କ ରହିବା ପାଇଁ କୁହାଯାଇଛି। ଯେକୌଣସି ସମୟରେ ରୋଗୀମାନେ ଆସିଲେ କିଭଳି ସେବା ଯୋଗାଇ ଦିଆଯାଇପାରିବ ସେନେଇ ତତ୍ପର ରହିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ କହିଛନ୍ତି।

Share